ପାରଳାଖେମୁଣ୍ତି : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଵାଇ.ଏସ୍‌. ଜଗନମୋହନ ରେଡ୍ଡୀ ଗତକାଲି ଓଡ଼ିଶା ଦିନିକିଆ ଗସ୍ତରେ ଆସିଥିଲେ। ପ୍ରାୟ ୪୫ ମିନିଟ୍ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କୋଟିଆ ଓ ‌‌ନେରେଡ଼ି ବ୍ୟାରେଜ୍ ସମେତ ଦୁଇ ରାଜ୍ୟର ବିଭିନ୍ନ ବିବାଦ ଓ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହାସହ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏକ ବୈଷୟିକ ପରାମର୍ଶ କମିଟି ଗଠନ ପାଇଁ ପ୍ରସ୍ତାବ ରଖାଯାଇଥିଲା।
ତେବେ ଦୁଃଖର କଥା ହେଲା, କୋରାପୁଟ ଜିଲ୍ଲା କୋଟିଆ ଭଳି ଗଜପତି ଜିଲ୍ଲାର ଗଙ୍ଗାବାଡ଼ରେ ବି ଦୁଇ ରାଜ୍ୟ ଭିତରେ ସୀମାନ୍ତକୁ ନେଇ ବିବାଦ ଲାଗି ରହିଛି। ଗତ କିଛି ମାସ ହେଲା ଏହା ଗଣମାଧ୍ୟମ‌ରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କିନ୍ତୁ ଦୁଃଖର କଥା ହେଲା, ଗଙ୍ଗାବାଡ଼ ସୀମା ବିବାଦରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନଥିବା ଗତକାଲି ଜାରି ମିଳିତ ପ୍ରେସ୍ ବିବୃତିରୁ ସ୍ପଷ୍ଟ ହୋଇଛି।
ଫଳରେ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଗଙ୍ଗାବାଡ଼ବାସୀ ନାପସନ୍ଦ କରିଛନ୍ତି। ସରକାର ଆମ ସହ ବିଶ୍ବାସଘାତକତା କରିଛନ୍ତି। ଆଦିବାସୀଅଧ୍ୟୁଷିତ ପଞ୍ଚାୟତ ପାଇଁ ଜିଲ୍ଲା ପ୍ରଶାସନ ଏବ˚ ଓଡ଼ିଶା ସରକାରଙ୍କ ଦରଦ କେବଳ କୁମ୍ଭୀର କାନ୍ଦଣା ବୋଲି ‘ସମ୍ବାଦ’କୁ ପ୍ରତିକ୍ରୟା ଦେଇ କହିଛନ୍ତି। କୋଟିଆ ଭଳି ଗଙ୍ଗାବାଡ଼ ପଞ୍ଚାୟତରେ ବି ଆନ୍ଧ୍ର ଓ ଓଡ଼ିଶା ଭିତରେ ସୀମାନ୍ତ ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ଭ‌ୌଗୋଳିକ ସ୍ଥିତିର ଫାଇଦା ଉଠାଇ ଶ୍ରୀକାକୁଲମ୍ ଜିଲ୍ଲା ମଞ୍ଜୁଷାମଣ୍ତଳର କିଛି ରାଜନେତା ଏହାକୁ ସଂପୂର୍ଣ୍ଣ ଭାବେ ଆନ୍ଧ୍ରପ୍ରଦେଶ ଅଧୀନକୁ ନେବାକୁ ଷଡ଼ଯନ୍ତ୍ର କରିଛନ୍ତି। ସେହିପରି ମହେନ୍ଦ୍ରଗିରି ପାହାଡ଼ ଓ ଜଙ୍ଗଲକୁ ଦଖଲ ପାଇଁ ଆନ୍ଧ୍ରପ୍ରଦେଶ ସରକାର ଯୋଜନା କରିଛନ୍ତି। ବିଭିନ୍ନ ରଣକୌଶଳ ପ୍ରସ୍ତୁତ କରି ଗଙ୍ଗାବାଡ଼ ପଞ୍ଚାୟତର ଗ୍ରାମବାସୀଙ୍କୁ ଆନ୍ଧ୍ରପ୍ରଦେଶ ନାଗରିକ ହେବା ପାଇଁ ପ୍ରଲୋଭନ ଦେଖାଯାଉଛି। ଫଳରେ ଏଠାରେ ରାସ୍ତା, ଅଙ୍ଗନବାଡ଼ି କେନ୍ଦ୍ର ଓ ସରକାରୀ ବିଦ୍ୟାଳୟ ଆଦି ନିର୍ମାଣ ହୋଇଛି।
ପଲାସା ବିଧାୟକ ତଥା ମନ୍ତ୍ରୀ ଏସ.ଆପ୍ପାଲାରାଜୁ ଗଙ୍ଗାବାଡ଼ ପଞ୍ଚା‌ୟତକୁ ଆନ୍ଧ୍ରପ୍ରଦେଶର ବୋଲି କହି ବାରମ୍ବାର ଦୃଢ଼ୋକ୍ତି କରିଆସୁଛନ୍ତି। ଏପରିକି କିଛି ମାସ ତଳେ ଜିଲ୍ଲାର ପ୍ରାଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର ଦେଖା‌ଇଥିଲେ। ତଥାପି ଗଙ୍ଗାବାଡ଼ ସୀମାନ୍ତ ପ୍ରସଙ୍ଗକୁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନାରେ ସ୍ଥାନ ନଦେବା ଗଜପତିବାସୀଙ୍କ ଭାବାବେଗକୁ ଆଘାତ ଦେଇଛି। ଏହା କ୍ଷୋଭର ବିଷୟ ବୋଲି ଗଙ୍ଗାବାଡ଼ବାସୀ କହିଛନ୍ତି।
The post ଗଙ୍ଗାବାଡ଼ ସୀମା ବିବାଦ ଆଲୋଚନାକୁ ଏଡ଼ାଇଦେଲେ ନବୀନ, ଜଗନ first appeared on Sambad.

from ଜିଲ୍ଲା | Sambad https://ift.tt/3koOmyG