କସ ବୋର୍ଡ କାରଖାନାରେ ପାଇଥିଲେ ୮୦୦ ନିଯୁକ୍ତି, ଏବେ ତ‌ାଲା ଝୁଲୁଛି
କାରଖାନା ଚାଲିବା ନେଇ ପ୍ରଶାସନ ପାଖରେ ନାହିଁ ସବିଶେଷ ତଥ୍ୟ

କଟକ/ଜଗତପୁର : ମାତ୍ର ୧୨/୧୫ବର୍ଷ ତଳେ ଗହଳଚହଳ ଥିଲା ଜଗତପୁର। ସକାଳ ହେଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଟ୍ରେନ ଓ ବସରେ କାମ ପାଇଁ ଜଗତପୁର ଗୋଲେଇ ଛକରେ ରୁଣ୍ଡ ହେଉଥିଲେ ହଜାର ହଜାର ଶ୍ରମିକ। ଜଗତପୁର (କେନ୍ଦ୍ରାପଡ଼ା ରୋଡ୍‌) ରେଳଷ୍ଟେସନରୁ ପିମ୍ପୁଡି ଧାଡ଼ି ବାନ୍ଧିଲା ଭଳି ଶ୍ରମିକମାନେ ବିଭିନ୍ନ କାରଖାନାକୁ କାମ କରିବାକୁ ଯାଉଥିଲେ। ମାତ୍ର ଏ ସବୁ ଏବେ ସତେ ‌ଯେମିତି ସ୍ବପ୍ନ ପାଲଟିଥିବା ସ୍ଥାନୀୟ ଲୋକ ମତ ଦେଇଛନ୍ତି। ସରକାର ମେକ୍‌-ଇନ୍‌-ଓଡ଼ିଶା ଜରିଆରେ ନୂଆ ଶିଳ୍ପ ପାଇଁ ଆହ୍ବାନ କରୁଛନ୍ତି। ରାଜ୍ୟର ବୃହତ୍ତ ଶିଳ୍ପାଞ୍ଚଳ ଉଜୁଡ଼ିବାକୁ ବସିଥିବା ବେଳେ ସରକାର କଟକ-ବାଙ୍କୀ ରୋଡ୍‌ ରାମଦାଶପୁରରେ ଆଉ ଏକ ଶିଳ୍ପାଞ୍ଚଳ ଗଢ଼ି ତୋଳୁଛନ୍ତି। ଶିଳ୍ପସଂସ୍ଥାମାନଙ୍କୁ ଜମି ଲିଜ୍ ଦେଇ କାରଖାନା ବସାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ରାଜ୍ୟର ସର୍ବବୃହତ୍ତ ଓ ପୁରାତନ ଶିଳ୍ପାଞ୍ଚଳରେ ୪୦ ପ୍ରତିଶତ କାରଖାନାରେ ତାଲା ଝୁଲୁଛି।

ଜଗତପୁର ଶିଳ୍ପାଞ୍ଚଳରେ ୭୦୦ରୁ ୧ହଜାର କର୍ମଚାରୀ, ଶ୍ରମିକଙ୍କ ନିଯୁକ୍ତି ଦେଇଥିବା କାରଖାନା‌ରେ ଏବେ ତାଲା ଝୁଲୁଛି। ଶିଳ୍ପାଞ୍ଚଳର ଏମିତି ଏକ କାରଖାନା ହେଲା କସ ବୋର୍ଡ ଇଣ୍ଡଷ୍ଟ୍ରିଜ୍ ବା କାରଖାନା। ଏହି କାରଖାନା ବୋର୍ଡ ତିଆରି କରିବା ସହିତ ନ୍ୟୁଜ୍ ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିଲା। ରାଜ୍ୟ ‌ତଥା ଦେଶର ବିଭିନ୍ନ ସ୍ଥାନକୁ କସବୋର୍ଡ ତାର ଉତ୍ପାଦିତ ଦ୍ରବ୍ୟ ରପ୍ତାନି କରୁଥିଲା। ଏହି କାରଖାନାରେ ୮୦୦ରୁ ଅଧିକ ଲୋକ କାମ କରୁଥିଲେ। ଜଗତପୁରର ବଡ ମଧ୍ୟମ ଶିଳ୍ପ ଭାବେ କସବୋର୍ଡର ବେଶ ଖ୍ୟାତି ଥିଲା। ମାତ୍ର, ଦୁଇବର୍ଷ ହେବ କାରଖାନ‌ାରେ ତାଲା ଝୁଲୁଛି। କାରଖାନାର ଯନ୍ତ୍ରପାତି ଖତ ଖାଉଛି। ସ୍କ୍ରାପ ସବୁ ଅସୁରକ୍ଷିତ ହୋଇପଡିଛି। କାରଖାନାର ସ୍ଥିତି ନେଇ ମଧ୍ୟ କାହା ପାଖରେ ସୂଚନା ନାହିଁ। କାରଖାନା ଚାଲୁଛି କି ନାହିଁ? କେଉଁ ବ୍ୟାଙ୍କ୍ ସିଜ୍ କରିଛି, ତାହା ହସ୍ତାନ୍ତର ହୋଇଛି କି ନା… ବିଭାଗୀୟ ଅଧିକାରୀଙ୍କ ପାଖରେ ମଧ୍ୟ ସଠିକ୍ ସୂଚନା ନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା କାରଖାନା ପାଖାପାଖି ଦୁଇବର୍ଷ ହେବ ଚାଲୁନି। କମ୍ପାନି କ୍ଷତି ଯୋଗୁଁ କାରଖାନାକୁ ଏକ ବ୍ୟାଙ୍କ୍ ସିଜ୍ କରିଛି। ଏପରିକି ଅକସନ ବି କରିଛି। ଅନ୍ୟ ଏକ ସଂସ୍ଥାକୁ ହସ୍ତାନ୍ତର ମଧ୍ୟ ହୋଇସାରିଛି। ‌ତେବେ ଏଠାରେ ପ୍ରଶ୍ନ ଉଠୁଛି ଏ କଂପାନିରେ କାମ କରୁଥିବା ୮୦୦ କର୍ମଚାରୀଙ୍କ ଭବିଷ୍ୟତ ଏବେ କଣ? ସେମାନେ ତାଙ୍କ ଦରମା, ବକେୟା ପ୍ରାପ୍ୟ ପାଇଛନ୍ତି କି ନାହି.. ସେ ସଂପର୍କରେ କାହା ପାଖ‌ରେ ସୂଚନା ମଧ୍ୟ ନାହିଁ।

ତଥ୍ୟ ମୁତାବକ, ୧୯୮୧ ମସିହରେ ଏହି କାରଖାନା ପ୍ରତିଷ୍ଠା ହୋଇଥିଲା। ୧୯୯୫ରେ ଏହାର ପ୍ରଥମ ସଂପ୍ରସ‌ାରଣ କରାଯାଇଥିଲା। ଜଗତପୁ‌ରରେ ଥିବା ମଧ୍ୟମ ଶିଳ୍ପ ମଧ୍ୟରୁ ଏହା ବୃହତ୍ତ ଥିଲା। ୮.୫ ଏକର ଜମି ଉପରେ ଏହି କାରଖାନା ଠିଆ ହୋଇଥିଲା। ମାତ୍ର କାରଖାନା ବନ୍ଦ ପରେ ସମଗ୍ର ଅଞ୍ଚଳ ଏବେ ଶ୍ରୀହୀନ ହୋଇପଡିଛି। ଜଗତପୁର କାରଖାନାରେ ଏବେ ସରିସୃପ ବୁଲୁଛନ୍ତି। ତେବେ କମ୍ପାନିର ୱେବସ‌ାଇଟ୍‌ ତଥ୍ୟରେ କାରଖାନା ଚାଲୁଛି ବୋଲି ଉଲ୍ଲେଖ ଅଛି। ଏପରିକି ଏହାର ସାଧାରଣ ପରିଷଦ ବୈଠକ ମଧ୍ୟ ବସୁଛି। ଏ ପ‌ଟେ କାରଖାନାକୁ ସିଜ୍ କରି ବ୍ୟାଙ୍କ୍ ଅକସନ କରିଥିବା ଜଣାପଡିଛି। ଇଡ୍‌କୋ ପାଖରେ ମଧ୍ୟ ସଂପର୍କରେ ସବିଶେଷ ତଥ୍ୟ ନାହିଁ। ଉଲ୍ଲେଖ୍ୟ, ବୋର୍ଡ ତିଆରି କରୁଥିବା ଏହି କାରଖାନା ଗତ ୨୦୦୧ରୁ ନ୍ୟୁଜ୍ ପ୍ରିଣ୍ଟ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିଥିଲା। ଏହାର ଉତ୍ପାଦନ କ୍ଷମତା ୧୦୦ ମେଟ୍ରକ ଟନ ଥିଲା। ପ୍ରଥମେ ୧୨କୋଟି ଟଙ୍କା ବ୍ୟୟରେ ଏହି କାରଖାନା ପ୍ରତିଷ୍ଠା ହୋଇଥିଲା।

The post ବଡ଼ ଉପରେ ଆଖି, ଉଜୁଡ଼ି ଯାଇଛି ମଧ୍ୟମ ଶିଳ୍ପ first appeared on Sambad.

from ଜିଲ୍ଲା | Sambad https://ift.tt/3o47umw