ଭୁବନେଶ୍ୱର : ବର୍ତମାନ ସମୟରେ ମଧୁମେହ(ଡାଇବେଟିସ୍) ରୋଗ ଏକ ନୀରବ ବ୍ୟାଧି ପାଲଟିଯାଇଛି । ମାତ୍ର ମଧୁମେହ ହୋଇଥିବା ଜାଣିସାରିବା ପରେ ମଧ୍ୟ ଅଧିକାଂଶ ଲୋକ ଏହାକୁ ହାଲ୍କାରେ ନେଇଥାଆନ୍ତି । ମଧୁମେହ ଜଟିଳ ରୂପ ଧାରଣ କରିବା ପୂର୍ବରୁ ଏକାଧିକ ସାଧାରଣ ଉପାୟ ଅବଲମମ୍ବନ କଲେ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ । ଏକାଥରେ ଅଧିକ ଖାଦ୍ୟ ଖାଇବା ବଦଳରେ ଅଳ୍ପ ଅଳ୍ପ ଖାଇବା ସହିତ ଖାଇବା ଅଭ୍ୟାସକୁ ବଦଳାଇବା, କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ୟ ନଖାଇବା, ମାନସିକ ଚାପରୁ ଦୂରେଇ ରହିବା ଏବଂ ନିୟମିତ ଶାରିରୀକ ବ୍ୟାୟାମ କରିବା ଦ୍ୱାରା ମଧୁମେଧକୁ ଦୂରେଇ ରଖିପାରିବାବୋଲି ଏମ୍ସ ଭୁବନେଶ୍ୱର ନିଦେ୍ର୍ଦଶିକା ତଥା ଦେଶର ପ୍ରମୁଖ ଚିକିତ୍ସାବିଜ୍ଞାନୀ ଡ. ବି ଗୀତାଞ୍ଜଳି ପ୍ରକାଶ କରିଛନ୍ତି । ମଧୁମେହରୁ ରକ୍ଷା ପାଇବା ନେଇ ଥିବା ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଏମ୍ସ ଭୁବନେଶ୍ୱର ପକ୍ଷରୁ ଆଜି ଆୟୋଜିତ ୱାକାଥନ୍ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଡ. ଗୀତାଞ୍ଜଳି ।

ଏଥିସହିତ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି(ଅନ୍ତଃସ୍ରାବୀ) ବିଭାଗରେ ଜଟିଳ ମଧୁମେହ ରୋଗୀଙ୍କ ଚିକିତ୍ସା କରାଯାଉଛି । ସେହପରି ମଧୁମେହ ହେବାର ଆଶଙ୍କା କରୁଥିବା ଯେକୌଣସି ବ୍ୟକ୍ତି ଏମ୍ସ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଏନସିଡି କ୍ଲିନିକ୍ରେ ନିଜର ପରୀକ୍ଷା କରାଇନେବାକୁ ଡ. ଗୀତାଞ୍ଜଳି ପରାମର୍ଶ ଦେଇଛନ୍ତି । ଆଜି ସକାଳେ ସ୍ଥାନୀୟ ବିଜୁ ପଟ୍ଟନାୟକ ପୁଲିସ୍ ଟ୍ରେନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇଥିବା ଏହି ସଚେତନତାମୂଳକ ୱାକାଥନ୍କୁ ଡ. ଗୀତାଞ୍ଜଳି ଉଦ୍ଘାଟନ କରିଥିଲେ । ଏମ୍ସ ଭୁବନେଶ୍ୱରର ଡାକ୍ତର, ଡାକ୍ତରୀ ଏବଂ ନର୍ସିଂ ଛାତ୍ରଛାତ୍ରୀ ତଥା ଏନଏସଏସ ବୁ୍ୟରୋର ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରିଥିଲେ । ନିଜେ ନିଦେ୍ର୍ଦଶିକା ଡ. ଗୀତାଞ୍ଜଳି ଏହି ୱାକାଥନ୍ରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏମ୍ସ ପରିସରରେ ଏହି ୱାକାଥନ୍ ସମାପ୍ତ ହୋଇଥିଲା । ଏହି ଅବସରରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଡ. କିଶୋର ବେହେରା ମତ ଦେଇ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱର ମଧୁମେହ ରୋଗୀଙ୍କ ଚିକିତ୍ସା ଏବଂ ଏସମ୍ପର୍କରେ ସଚେତନତା ସୃଷ୍ଟି ନେଇ ବ୍ୟାପକ କାର୍ଯ୍ୟ କରୁଛି । ଏମ୍ସ ଭୁବନେଶ୍ୱର ଡିନ୍ ଡ. ଦେବାଶିଷ ହୋତା, ଫାକଲ୍ଟି, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ଉଲ୍ଲେଖଯୋଗ୍ୟଯେ ବିଶ୍ୱ ମଧୁମେହ ଦିବସ ଅବସରରେ ଗତ ପାଂଚ ବର୍ଷ ଧରି ଏମ୍ସ ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଚଳିତ ବର୍ଷ ବିଶ୍ୱ ମଧୁମେହ ଦିବସ ନଭେମ୍ବର ୧୪ରୁ ସେମିନାର, ପ୍ରତିଯୋଗିତା ସହିତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରକାଶ ।

୧୯୨୧ ମସିହାରେ ଡ. ଫ୍ରେଡେରିକ୍ ବେଂଟି ଏବଂ ଡ. ଚାର୍ଲସ୍ ବେଷ୍ଟ ମଧୁମେହର ପ୍ରମୁଖ ଚିକିତ୍ସା କାରକ ଇନସୁଲିନ୍ ଉଦ୍ଭାବନ କରିଥିଲେ । ଚଳିତ ବର୍ଷ ଏହାର ୧୦୦ତମ ବାର୍ଷିକୀ ଅବସରରେ ବିଶ୍ୱ ମଧୁମେହ ଦିବସର ଥିମ୍ ମଧୁମେହ ଚିକିତ୍ସା ସମ୍ପର୍କରେ ସମସ୍ତେ ଜାଣିବା ଏବଂ ଆଜି ନୁହେଁ ତ କେବେ ରହିଛି । ଭାରତରେ ପ୍ରାୟ ୭୭ ମିଲିୟନ୍ ଲୋକ ମଧୁମେହରେ ପିଡ଼ୀତ ଥିବା ଡାଇବେଟିସ୍ ଆଟଲାସ୍ କମିଟି(ଆଇଡିଏଫ୍) ପକ୍ଷରୁ ପ୍ରକାଶିତ ରିପୋର୍ଟ ଉଲ୍ଲେଖ କରିଛି । ତେଣୁ ଆରମ୍ଭରୁ ଏହି ରୋଗର ଚିକିତ୍ସା କଲେ ଏଥିରୁ ଆମେ ସହଜରେ ବଂଚିପାରିବାବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

The post ମଧୁମେହ ଚିକିତ୍ସାର ସଚେତନତା ନିମନ୍ତେ ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍ first appeared on Sambad.

from ଜିଲ୍ଲା | Sambad https://ift.tt/3DyA8mE