
ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ରୋଗୀ କଲ୍ୟାଣ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ଡ.ଅରବିନ୍ଦ ଢାଲି ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ,ସମସ୍ୟା ଓ ଏହାର ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷ କରି ହସ୍ପିଟାଲ ପରିସର କ୍ବାର୍ଟରରେ କୌଣସି ଡାକ୍ତର , ସ୍ବାସ୍ଥ୍ୟକର୍ମୀ ନରହିବାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଫଳରେ ରୋଗୀମାନେ ଜରୁରୀ ଚିକିତ୍ସା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଅସନ୍ତୋଷ ଦେଖା ଦେଇଥିଲା। ରୋଗୀମାନେ ନିରାଶ ହୋଇ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଏସଂପର୍କରେ ବିଧାୟକ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କୁ କୈଫିୟତ ମାଗିଥିଲେ।
ଶ୍ରୀ ତ୍ରିପାଠୀ ବିଭିନ୍ନ କ୍ବାର୍ଟର ଅବସ୍ଥା ବିପଦସଙ୍କୁଳ ହୋଇପଡ଼ିଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କାର୍ୟ୍ୟସାରି ଘରକୁ ପଳାଉଥିବା କହିଥିଲେ। ତେଣୁ କ୍ବାର୍ଟର ନବୀକରଣ ପାଇଁ ସେ ଦାବି କରିଥିଲେ। ଜରୁରୀକାଳୀନ ସ୍ବାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ବିଧାୟକ ଆଖପାଖ ଅଞ୍ଚଳରେ ରହିବାକୁ ପରାମର୍ଶ ଦେଇଥିଲେ। ସେହିପରି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ୯ ଜଣ ଡାକ୍ତର କାର୍ୟ୍ୟରତ। ସେମାନଙ୍କ ମଧ୍ୟରୁ ୨ ଜଣ ଡାକ୍ତରଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଯାଇଥିବା ବେଳେ ଆଉ ଜଣେ ଡାକ୍ତର ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଧ୍ୟୟନରତ ଅଛନ୍ତି। ଫଳରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ୟ୍ୟସ୍ତ ହୋଇପଡ଼ିଛି।
ଏଡାଛଡ଼ା ବୈଠକରେ ରୋଗୀଙ୍କ ସଂପର୍କୀୟ,ରୋଗୀ ଏବଂ କର୍ମଚାରୀଙ୍କ ଗାଡ଼ି ରଖିବା ପାଇଁ ପାର୍କିଂ , ଅଗ୍ନି ନିର୍ବାପକ ସାମଗ୍ରୀ କିଣା,ଲାପଟପ,ଇନଭଟର,ଟେବୁଲ, ଚେୟାର ଆଲମିରା ଭଳି ଆସବାବପତ୍ର,ଟ୍ୟାପ ଏବଂ ସଭାକକ୍ଷରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରସଙ୍ଗ ଉପରେ ଆଲୋଚନା ନେଇ ପ୍ରସ୍ତାବ ଗୃହିତ ହୋଇଥିଲା ରୋଗୀ କଲ୍ୟାଣ ସମିତି ପ୍ରମୁଖ ସଦସ୍ୟ ଅରବିନ୍ଦ ସାହୁ ପରିସର ରାସ୍ତା ନବୀକରଣ ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ,ବିଏଚଇଓ ସନ୍ତୋଷ ସେଠୀ ଓ ବିପିଏମ ଅତସୀ ମହାନ୍ତିଙ୍କ ସମେତ ଡାକ୍ତର ମାନବ ବସା ପ୍ରମୁଖ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
The post କ୍ବାର୍ଟରରେ ଡାକ୍ତର ନରହିବାକୁ ନେଇ ରୋଗୀ କଲ୍ୟାଣ ସମିତି ବୈଠକରେ ଉଦବେଗ first appeared on Sambad.from ଜିଲ୍ଲା | Sambad https://ift.tt/3HGvKV4
0 Comments