ବୁର୍ଲା: ବୁର୍ଲା ଭୀମସାରରେ ବହୁ ସଂଖ୍ୟାରେ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ଘଟଣାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୀମସାର କର୍ତ୍ତୃପକ୍ଷ। ସୋମବାର ୨୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଜଣା ପଡ଼ିଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୪୦ ପାର କରିଯାଇଛି। ତେବେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ମୋଟ ୩୧ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା ଭୀମସାର୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଏମ୍‌ବିବିଏସ୍ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଏହି ସଂକ୍ରମିତ ତାଲିକାରେ ଅଛନ୍ତି।

ଏହାକୁ ନେଇ ଭୀମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ବସିଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓ ଅନୁଷ୍ଠାନରେ ସଂକ୍ରମଣର ମୁକାବିଲା ନେଇ ଆଲୋଚନା ହୋଇଥିଲା। ବୈଠକରେ ନିର୍ଦ୍ଦେଶକଙ୍କ ସମେତ ଅଧ୍ୟକ୍ଷ ପ୍ର. ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ, ବିଭିନ୍ନ ବିଭାଗର ମୁଖ୍ୟ ଓ ବରିଷ୍ଠ ମେଡିକାଲ ଅଧିକାରୀ ଉପସ୍ଥିତ ଥିଲେ। ବର୍ଦ୍ଧିତ ସଂକ୍ରମଣକୁ ଆଖି ଆଗରେ ରଖି ଏମ୍‌ବିବିଏସ୍ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ରେ ହେବାକୁ ଥିବା ଇଣ୍ଟରନାଲ୍ ପରୀକ୍ଷାକୁ ଅନ୍‌ଲାଇନରେ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆଗକୁ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ହଷ୍ଟେଲଗୁଡିକରୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ଆସିବା ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି।

ଏଥି ସହିତ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ଅଫ୍‌ଲାଇନ୍ କ୍ଲାସ୍ ସସ୍‌ପେଣ୍ଡ କରା ଯାଇଥିବା ଭୀମସାର ଅଧ୍ୟକ୍ଷା ଡା. ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ଭୀମସାର୍‌ର ସମୁଦାୟ ୫ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସମସ୍ତ ହଷ୍ଟେଲ ବିଶୋଧନ କରାଯାଇଛି। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ଛାତ୍ରୀନିବାସ ବିଶୋଧିତ ହୋଇଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ଆଣ୍ଟିଜେନ୍‌ ପରୀକ୍ଷା ପ୍ରକ୍ରିୟା ଜାରି ରହିଛି। ଏହି ସଂକ୍ରମଣ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ଅନୁମାନ କରା ଯାଉଛି।

The post ଭୀମସାର୍‌ ସଂକ୍ରମଣ ୪୦ ଟପିଲା, ଅଫଲାଇନ୍‌ ପରୀକ୍ଷା ବାତିଲ first appeared on Sambad.

from ଜିଲ୍ଲା | Sambad https://ift.tt/3DMkSCJ