ଛତ୍ରପୁର : ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବାରୁ ରାଜ୍ୟ ରାଜନୀତି ମାନଚିତ୍ର‌ରେ ସ୍ବତନ୍ତ୍ର ଗୁରୁତ୍ବ ରଖୁଛି ଗଞ୍ଜାମ ଜିଲ୍ଲା। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ୬୯ ଜିଲ୍ଲା ପରିଷଦ ଜୋନ୍ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ଚିଠା ତାଲିକା ଘୋଷଣା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ତିନି ପ୍ରମୁଖ ଦଳ ବିଜେଡି, ବି‌ଜେପି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ଥିବା ବେଳ‌େ ନେତାମାନେ ରଣକୌଣଳ ପ୍ରସ୍ତୁତିରେ ବ୍ୟସ୍ତ। ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ନିଜ ଦଖଲରେ ରଖି ଆସିଛି। ତେଣୁ ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ।

ଗତ ଦୁଇଟି ନିର୍ବାଚନରେ ଦଳ ତିନି ଚତୁର୍ଥାଂଶରୁ ଯଥେଷ୍ଟ ଅଧିକ ଆସନ ଅକ୍ତିଆର କରି ନିଜ ଦବ୍‌ଦବା ବଜାୟ ରଖିଛି। ବର୍ତ୍ତମାନ ପରିବର୍ତ୍ତିତ ରାଜନୈତିକ ପାଣିପାଗ ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ଶାସକ ଦଳ ଅଧ୍ୟକ୍ଷ ପଦ ସମେତ ୬୯ ଜିଲ୍ଲା ପରିଷଦ ଜୋନରେ କ୍ଲିନ୍‌ସୁଇପ୍ କରିବାକୁ ଅଣ୍ଟା ଭିଡ଼ିଛି।

ଏହି ନିର୍ବାଚନରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶାସକଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ଏଥିପାଇଁ ସମସ୍ତ ଜୋନ୍‌ରେ ପ୍ରାର୍ଥୀଙ୍କୁ ବିଜୟୀ ଟୀକା ପିନ୍ଧାଇବାକୁ ନେତୃବୃନ୍ଦ ଲାଗିପଡ଼ିଛନ୍ତି। ଏଥିଲାଗି ବିଜେଡି ସବୁ ଜୋନ୍‌ରେ ଯୋଗ୍ୟ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ଏଥିସହ ସମସ୍ତ ଜୋନ୍‌ରେ କମିଟି ଗଠିତ ହୋଇଛି। ଉକ୍ତ କମିଟି ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଆଉ ଏହି ତାଲିକା ଉପରେ ଦଳର ସୁପ୍ରିମୋ ମୋହର ଲଗାଇବେ।

ବିଗତ ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଅନ୍ୟ ବିରୋଧୀଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଥିଲା। ଫଳରେ ସଫଳତାକୁ ଦୋହରାଇବାକୁ ରଣନୀତି ପ୍ରସ୍ତୁତ ହେଉଛି। ୨୦୧୨ରେ ୬୯ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୬୧ଟି ବିଜେଡି ହାତେଇଥିଲା। ସେହିପରି ୩ ଜୋନ୍‌ରେ କଂଗ୍ରେସ, ୨ଟିରେ ବିଜେପି, ଗୋଟିଏରେ ସିପିଏମ୍ ଓ ୨ ଜୋନ୍‌ରେ ବାମଦଳ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ୨୦୧୭ ନିର୍ବାଚନରେ ବିଜେଡି ଆଉ ଦୁଇଟି ଅଧିକ ଜୋନ୍ ହାତେଇଥିଲା। ମୋଟ ୬୪ ଜୋନ୍‌ରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ବି ଦଳ ପାଖକୁ ଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ବେହେରା ନିର୍ବାଚିତ ହୋଇଥିଲେ। ପରେ ଦଳୀୟ ଟିକଟରେ ୨୦୧୯ ସାଧାରଣ ନିର୍ବାଚନରେ ଛତ୍ରପୁର ବିଧାୟକ ଭାବେ ବିଜୟୀ ହୋଇ ଏହି ଆସନରୁ ଇସ୍ତଫା ଦେଇଥିଲେ। ପୁଣି ସେହି ଆସନରେ ବିଜେଡି ଦଳ ସୋନମ୍ ପଲେଇଙ୍କୁ ଅଧ୍ୟକ୍ଷା ଭାବେ ବସାଇଥିଲା।

ସ‌େହିପରି ବିଜେପି ୪ ଜୋନ୍‌ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମାତ୍ର ଗୋଟିଏ ଜୋନ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୨୨ ନିର୍ବାଚନରେ ବିଜେଡି ସମସ୍ତ ୬୯ ଜୋନ୍‌କୁ ନିଜ ଦଖଲକୁ ନେବା ପାଇଁ ଯୋଜନା କରୁଛି। ତଥାପି ବିଜେପି ଓ କଂଗ୍ରେସ ପୂର୍ବ ନିର୍ବାଚନ ଅପେକ୍ଷା ଭଲ କରିବ ବୋଲି ଦଳୀୟ ନେତୃବର୍ଗ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭଲ ପ୍ରଦର୍ଶନ କରିଥିଲେ। ଫଳରେ କଡ଼ା ଟକ୍କର୍ ଦେଖିବାକୁ ମିଳିବ ବୋଲି ରାଜନୈତିକ ବି‌ଶେଷଜ୍ଞମାନେ ଆକଳନ କରିଛନ୍ତି।

The post ଜିଲ୍ଲା ପରିଷଦ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/3HNOou9