
କେସିଙ୍ଗା: କଳାହାଣ୍ଡି ଜିଲ୍ଲାର ଧଳାହୀରା (କପା) ଉନ୍ନତମାନର। ଅନ୍ତର୍ଜାତୀୟ ବଜାରରେ ଏହି କପାର ମୂଲ୍ୟ ଅଧିକ ଥିବାରୁ ଚଳିତ ବର୍ଷ ଜିଲ୍ଲାର କପା ଚାଷୀମାନେ ଲାଭବାନ ହେଲେଣି। ସହାୟକ ମୂଲ୍ୟରୁ ଢେର ଅଧିକ ଦରରେ କପା ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଗତ ଗୁରୁବାର କୁଇଣ୍ଟାଲ ପିଛା ଦର ୭ହଜାର ୩ ଶହ ଥିବା ବେଳେ ଦର ୮ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କପାର ଚାହିଦାକୁ ଦେଖି ମଣ୍ଡି ବ୍ୟବସ୍ଥା ନକରି ଫ୍ରି-ସେଲ୍ କରାଯାଇଛି। ଚଳିତ ବର୍ଷ କପାର ମୂଲ୍ୟ ସର୍ବାଧିକ ହୋଇଥିବାରୁ ଚାଷୀ ମହଲରେ ଆନନ୍ଦର ଲହରି ଖେଳିଯାଇଛି। କପା କିଣା ବାର୍ଷିକ ବୈଠକ ପୂର୍ବରୁ ଜିଲ୍ଲାରୁ ପ୍ରାୟ ୫୦ ହଜାର କୁଇଣ୍ଟାଲ କପା ମହାରାଷ୍ଟ୍ର ଓ ଅନ୍ୟ ଅଞ୍ଚଳକୁ ଗଲାଣି। ମହାରାଷ୍ଟ୍ରରେ ଏବର୍ଷ କପା ଉତ୍ପାଦନ ଭଲ ହୋଇନାହିଁ। ଏଭଳି ସ୍ଥିତିରେ କଳାହାଣ୍ଡି ଜିଲ୍ଲା କପାର ମାନ ଉତ୍କୃଷ୍ଟ ଥିବାରୁ ରାଜ୍ୟ ବାହାରର ବ୍ୟବସାୟୀ କଳାହାଣ୍ଡିକୁ ମୁହାଁଇଛନ୍ତି। କିନ୍ତୁ ଦଲାଲଙ୍କ ଦୌରାତ୍ମ୍ୟ ଓ ପ୍ରଶାସନର ହୁଗୁଳା ନୀତି ଯୋଗୁଁ ଏହାର ଫାଇଦା କିଛି ଚାଷୀ ପାଇପାରୁ ନାହାନ୍ତି।
ଜିଲ୍ଲାରେ ଏବର୍ଷ ବୃଷ୍ଟିପାତ କମ୍ ହୋଇଥିଲେ ମଧ୍ୟ କପା ଉତ୍ପାଦନ ପ୍ରଚୁର ହୋଇଛି। ପ୍ରାୟ ୫ଲକ୍ଷ କୁଇଣ୍ଟାଲରୁ ଅଧିକ କପା ଉତ୍ପାଦନ ହେବାର ଆକଳନ କରାଯାଇଛି। ସହାୟକ ମୂଲ୍ୟ ସରକାର କୁଇଣ୍ଟାଲ ପିଛା ୬ହଜାର ୨୫ ଟଙ୍କା ରଖିଛନ୍ତି। କିନ୍ତୁ ବର୍ତ୍ତମାନ ଚାଷୀ ସହାୟକ ମୂଲ୍ୟଠାରୁ ଅଧିକ ୧୨୭୫ ଟଙ୍କା ପାଇଲେଣି। ଚାହିଦା ଅଧିକ ଥିବାରୁ ପ୍ରଶାସନ ମଧ୍ୟ ଫ୍ରି-ସେଲ୍ କରିଦେଇଛି। ଅନେକ ଦିନ ଧରି ଭାରତୀୟ କପା ନିଗମର ମନମୁଖି ଏଥର ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଆଲୋଚନା ହେଉଛି। ଇତିମଧ୍ୟରେ ଭିସି ମାଧ୍ୟମରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କପା କିଣା ବୈଠକରେ କିଛି ଲୋକ ମଣ୍ଡି କଥା ଉଠାଇଥିଲେ। କିନ୍ତୁ ବିନା ମଣ୍ଡିରେ ଚାଷୀ ସୁରୁଖୁରୁରେ କପା ବିକ୍ରି କରିପାରୁଛି, ଏହାସହ ଅଧିକ ଲାଭ ପାଉଥିଲେ ମଧ୍ୟ ଏହି ବ୍ୟବସ୍ଥାକୁ ସେତେଟା ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ କପା କେଣ୍ଡି ପିଛା ୬୬ରୁ ୬୮ ହଜାର ଟଙ୍କା ରହିଛି। ଅର୍ଥକାରୀ ଫସଲ ହୋଇଥିବାରୁ କଳାହାଣ୍ଡି ଜିଲ୍ଲାର ଚାଷୀମାନେ ଅଧିକ ପରିମାଣରେ କପା ଚାଷ କରିଥା’ନ୍ତି। ବିଶେଷକରି ଜିଲ୍ଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଏହି ଚାଷ କରି ସେମାନେ ନିଜର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାର ଉଦାହରଣ ସୃଷ୍ଟି କରିଛି। ଏବର୍ଷ ମୂଲ୍ୟ ବୃଦ୍ଧି ହୋଇଥିବାରୁ ଚାଷୀଙ୍କ ଖୁସି ଦ୍ବିଗୁଣିତ ହୋଇଛି। ଏଭଳି ସ୍ଥିତିରେ ପ୍ରଶାସନ ତଦାରଖ ନକଲେ ଚାଷୀମାନେ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରିବେ ନାହିଁ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।
The post ଚାଷୀ ମୁହଁରେ ହସ: ସହାୟକ ମୂଲ୍ୟରୁ ଅଧିକ ଦରରେ କପା ବିକ୍ରି first appeared on Sambad.from ଜିଲ୍ଲା | Sambad https://ift.tt/3BzbIYc
0 Comments