
ରାଉରକେଲା, : ସ୍ମାର୍ଟସିଟିର ହାର୍ଟ ଉପରେ ବଡ଼ବଡ଼ିଆ ମାଡ଼ିବସିଛନ୍ତି ଜଙ୍ଗଲ ଜମି। ପ୍ରାୟ ୫ ଏକର ୬୦ ଡେସିମିଲ୍ ଜମି ଏବେ ୧୯ ଜଣଙ୍କ କବ୍ଜାରେ। ଏହି ବିବାଦୀୟ ଜାଗା ରହିଛି ଉଦିତନଗର ତପସ୍ବିନୀ ମାର୍କେଟ ସମ୍ମୁଖ (ବାସନ୍ତୀକଲୋନି ଯିବା ରାସ୍ତାରୁ ଆୟକର ଅଫିସ୍ ଶିବମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ)ରେ। ଯାହାର ସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ। ବେସରକାରୀ ମୂଲ୍ୟ ଏହାର ତିନିଗୁଣା ଅର୍ଥାତ୍ ପାଖାପାଖି ୧୫୦ କୋଟି। ଜଙ୍ଗଲ ଜମି ରୂପାନ୍ତରିତ ହୋଇଛି ଘରବାଡ଼ିରେ। ଯେଉଁଠି ଏବେ ଛିଡା ହୋଇଛି ସୁଉଚ୍ଚ ଅଟ୍ଟାଳିକା।
୧୯୮୧ରେ ଏହି ମୂଲ୍ୟବାନ ଜଙ୍ଗଲ ଜମିକୁ ୧୯ରୁ ଅଧିକ ବଡ଼ବଡ଼ିଆ ତତ୍କାଳୀନ ତହସିଲଦାରଙ୍କ ସହ ଭିତିରି ସଲାସୁତୁରା କରି ନିଜ ନାଁରେ ପଟ୍ଟା କରି ନେଇଛନ୍ତି। ସମ୍ପ୍ରତି ତହସିଲ କାର୍ଯ୍ୟାଳୟରୁ ଏମିତି ତଥ୍ୟ ମିଳିବା ପରେ ରାଉରକେଲା ବାର୍ ଆସୋସିଏସନର ଆଇନଜୀବୀ ପ୍ରଦୀପ କୁମାର ଜେନା ରାଜ୍ୟ ରାଜସ୍ବ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜସ୍ବ ବିଭାଗ ଅଭିଯୋଗକୁ ଗ୍ରହଣ କରି ବିସ୍ତୃତ ତଦନ୍ତ କରି ରିପୋର୍ଟ ଦେବାକୁ ତତ୍କାଳୀନ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନଖଣ୍ଡ ଅଧିକାରୀ ମିଳିତ ଭାବେ ତଦନ୍ତ କରିବାକୁ ରାଉରକେଲା ତହସିଲଦାରଙ୍କୁ ଚିଠି ଲେଖିଥିଲେ। ଆଶ୍ଚର୍ଯ୍ୟ କଥା ଆଜି ପର୍ଯ୍ୟନ୍ତ ଉଭୟ ବିଭାଗ ବଡ଼ବଡ଼ିଆଙ୍କ ପାଖ ପଶିବାକୁ ସାହାସ ଜୁଟାଇ ପାରୁ ନଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅତିରିକ୍ତ ବନ ସଂରକ୍ଷକ ଦିଲୀପ କୁମାର ସାହୁ କହିଛନ୍ତି, ଏମିତି ଅଭିଯୋଗ ଆସିଛି। ତଦନ୍ତ ଦାୟିତ୍ବ ରାଜସ୍ବ ବିଭାଗର। ତହସିଲଦାର କେବେ ତଦନ୍ତ କରିବେ ବିଭାଗକୁ ଜଣାଇଲେ ମିଳିତ ଭାବେ ଯାଞ୍ଚ କରାଯିବ।
The post ମାଡ଼ିବସିଛନ୍ତି ୫୦ କୋଟିର ଜଙ୍ଗଲ ଜମି: ଚୁପ୍ ବସିଛନ୍ତି ବନ ଓ ରାଜସ୍ବ ବିଭାଗ, ଛିଡ଼ାହୋଇଛି ସୁଉଚ୍ଚ ଅଟ୍ଟାଳିକା first appeared on Sambad.from ଜିଲ୍ଲା | Sambad https://ift.tt/3bAwtbl
0 Comments