କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଅଦାଲତଙ୍କ ୨୦୨୧, ଅଗଷ୍ଟ ୨୫, ନଭେମ୍ବର ୧୮ ଓ ୨୫ର ନିର୍ଦ୍ଦେଶ ପରେ ମଧ୍ୟ ପୁଲିସ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ପୁଣି ସମୟ ଲୋଡ଼ିଛି। ଗତ ୨୫ ତାରିଖରେ  ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ନଭେମ୍ବର ୨୯ ତାରିଖ ସୁଦ୍ଧା ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଦାଖଲ ପାଇଁ ମାହାଙ୍ଗା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ନିର୍ଦ୍ଦେଶ ଅନୁସାରେ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ ଓ ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ପୁଣି ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ଅଦାଲତ କହିଥିଲେ। କିନ୍ତୁ ପୁଲିସ ଅଦାଲତରେ ଅଧିକ ୩୦ ଦିନ ସମୟ ଲୋଡି ପିଟିସନ୍ ଦାଖଲ କରିଛି। ଅନ୍ୟପକ୍ଷରେ ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ମଧ୍ୟ ଏକ ପିଟିସନ୍ ଅଦାଲତରେ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ତଦନ୍ତକାରୀ ଅଧିକାରୀ ଜାଣିଶୁଣି ନିର୍ଦ୍ଧାରିତ ସମୟରେ ଅଦାଲତରେ ରିପୋର୍ଟ ଦାଖଲ କରୁନାହାନ୍ତି। ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ଏକ ବର୍ଷ ପରେ ନଷ୍ଟ ହୋଇଯିବ। ଏଭଳି ସ୍ଥିତିରେ ସିଡିଆର ତଥ୍ୟ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।  ଏହି ପ୍ରସଂଗରେ ଅଦାଲତ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ସେ ଦର୍ଶାଇଛନ୍ତି। ଆଜି ଜେଏମଏଫସି ଅଦାଲତର ବିଚାରପତି ଅନୁପସ୍ଥିତ ଥିବାରୁ ମାମଲାର ଶୁଣାଣି ଘୁଞ୍ଚିଛି।

ଉଲ୍ଲେଖ ଯୋଗ୍ୟ ଯେ ନଭେମ୍ବର ୨୫ରେ ଅଦାଲତରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ମାହାଙ୍ଗା ଥାନାର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସିଙ୍କ ତରଫରୁ ଏକ ପିଟିସନ୍ ଦାଖଲ କରାଯାଇ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଏକ ମାସ ସମୟ ପ୍ରଦାନ କରାଯାଉ ବୋଲି ଦର୍ଶାଯାଇଥିଲା। ତଦନ୍ତକାରୀ ଅଧିକାରୀ ନିଜେ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ରହି ଦର୍ଶାଇଥିଲେ ଯେ ସେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ସହିତ ଆଇନଶୃଙ୍ଖଳା ରକ୍ଷା ଓ ଅନ୍ୟାନ୍ୟ ଦାୟିତ୍ବ ନିର୍ବାହରେ ବ୍ୟସ୍ତ ଥିବାରୁ ଏହି ମାମଲାର ତଦନ୍ତ ସଂପୂର୍ଣ୍ଣ ହୋଇ ପାରି ନାହିଁ। ଏଭଳି ସ୍ଥିତି‌ରେ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ପ୍ରଦାନ କରାଯାଉ ବୋଲି ତଦନ୍ତକାରୀ ଅଧିକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ନଭେମ୍ବର ୨୯ ତାରିଖ ସୁଦ୍ଧା ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଦାଖଲ ପାଇଁ ମାହାଙ୍ଗା ଥାନା ପୁଲିସକୁ ସେ ଦିନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

The post ମାହାଙ୍ଗା ଡବଲ ମର୍ଡର ଘଟଣା: ପୁଣି ପୁଲିସ ମାଗିଲା ମାସେ ସମୟ, ଉପଯୁକ୍ତ ନିର୍ଦ୍ଦେଶ ପାଇଁ ରମାକାନ୍ତ ବରାଳଙ୍କ ପିଟିସନ୍ first appeared on Sambad.

from ଜିଲ୍ଲା | Sambad https://ift.tt/3FYdiW3