ରାଉରକେଲା: ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ବିକିବାକୁ ଆସିଥିଲେ ରାଉରକେଲାକୁ। ତେବେ ଗ୍ରାହକ ପାଖରେ ପହଞ୍ଚିବା ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିନେଇଛି ରାଉରକେଲା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ମୃତ୍ୟୁଞ୍ଜୟ ପ୍ରଧାନ ଓ ଦେବେନ୍ଦ୍ର ସାହୁ। ସେମାନଙ୍କଠାରୁ ୭୫ ହଜାର ଟଙ୍କା ମୂଲ୍ୟର ୫ କେଜି ଗଞ୍ଜେଇ ଜବତ ହୋଇଛି। ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଦୁଇ ଅଭିଯୁକ୍ତ ଏକ ବସ୍‌ରେ ସେକ୍ଟର-୨ରେ ପହଞ୍ଚିଥିଲେ। ଅଭିଯୁକ୍ତ ଦ୍ବୟ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇଥିଲା। ଅଭିଯୁକ୍ତମାନେ ଚାଲିଚାଲି ଯାଉଥିବା ସମୟରେ ଅବକାରୀ ପୁଲିସ ଉଭୟଙ୍କୁ ଘେରି କାବୁ କରିନେଇଥିଲା। ତେବେ ସେମାନେ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ବିକିବାକୁ ଯାଉଥିଲେ ତାହା ପ୍ରକାଶ କରିନାହାନ୍ତି।

ଏହାସହ ଅବକାରୀ ବିଭାଗ ଆଜି ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବାଲୁଘାଟର ସୁନୀତା ମୁଣ୍ଡା ଓ ରେଙ୍ଗସିଲ ଗ୍ରାମର ଦିଲୀପ ସୋରେନ। ସେମାନଙ୍କଠାରୁ ୩୮ ଲିଟର ଦେଶୀ ମଦ ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବଇନ୍ସପେକ୍ଟର ମାନସ ମୁଣ୍ଡା, ରମାକାନ୍ତ ଚାନ୍ଦ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

The post ୫ କେଜି ଗଞ୍ଜେଇ ଜବତ: ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3qobAZJ