
ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଡେଲଟା ବଜାରରେ ଝାଲମୁଢ଼ି ଓ ଝାଲ ମଟର ଖାଇ ସ୍ଥାନୀୟ ବେଣ୍ଟପୁର ଏବଂ ଭିଙ୍ଗାରପୁର ପଞ୍ଚାୟତ ଅଞ୍ଚଳରେ ୨୬ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ଦୁଇଜଣ ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ଉଭୟ ଯୁବତୀଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବା ପରେ ଘରକୁ ଫେରିଥିବା ସୂଚନା ମିଳିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ସ୍ବାସ୍ଥ୍ୟ ବିଭାଗ ଟିମ ଗ୍ରାମରେ ପହଞ୍ଚି ଚିକିତ୍ସା ସେବା ତଦାରଖ କରିନଥିବା ନେଇ ଅସନ୍ତୋଷ ଦେଖା ଦେଇଛି।
ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ପୀଡ଼ିତ ଲୋକମାନେ ଡେଲଟା ବଜାରରେ ଝାଲମୁଢ଼ି ଓ ବୋଟ ଖାଇଥିଲେ। ଆଜି ସକାଳେ ଝାଲମୁଢ଼ି ଖାଇଥିବା ଲୋକଙ୍କର ଝାଡ଼ାବାନ୍ତି ଲାଗି ରହିବାରୁ ପରିବାର ଲୋକ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଏନେଇ ଆଜି ସଂଧ୍ୟାରେ ଡେଲଟାବଜାରରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ବଜାରରେ ପହଞ୍ଚି ଝାଲମୁଢ଼ି ବ୍ୟବସାୟୀଙ୍କୁ ଖୋଜିଥିଲେ। ହେଲେ ବ୍ୟବସାୟୀ ଜଣଙ୍କ ଖବର ପାଇ ବଜାରରୁ ଫେରାର ହୋଇଯାଇଥିଲା।ସୂଚନା ଅନୁସାରେ ସ୍ଥାନୀୟ ଗୁଆବାଡ଼ି ସାହି, ବେଣ୍ଟପୁର, ଭିଙ୍ଗାରପୁର ଶାସନ, ବ୍ରାହ୍ମଣଷଡ଼ଙ୍ଗୀ, ରାମଚନ୍ଦ୍ରପୁର, ବନ୍ଧୁ ଘରକୁ ଆସିଥିବା ପିପିଲି ଅଞ୍ଚଳର ଜଣେ ଯୁବକ ଝାଲମୁଢ଼ି ଏବଂ ଝାଲମୁଢ଼ି ଖାଇଥିଲେ। ଅସୁସ୍ଥମାନେ ପ୍ରଥମେ ଭିଙ୍ଗାରପୁର ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
The post ଝାଲମୁଢ଼ି ଖାଇ ୨୬ ଅସୁସ୍ଥ,ଦୁଇ ଯୁବତୀ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3wDeCdx
0 Comments