ସମ୍ବଲପୁର : ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସୱାଲଙ୍କ ନାମରେ କେହି ଜଣେ ଜାଲ ଫେସ୍‌ବୁକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଜାଲ୍‌ ଫେସ୍‌ବୁକ୍ ଆକାଉଣ୍ଟରେ ପ୍ରଫେସର ଜୟସୱାଲଙ୍କ କ‌େତେକ ଫଟୋ ସହିତ ବ୍ୟକ୍ତିଗତ ସୂଚନା ବି ଦେଇଛି। ଫେସ୍‌ବୁକ୍‌ ଆକାଉଣ୍ଟରେ ଏମିତି ତଥ୍ୟ ରହିଛି, ଯିଏ ବି ଦେଖିବ ଏହା ପ୍ରଫେସର ଜୟସୱାଲଙ୍କ ବାସ୍ତବ ଫେସ୍‌ବୁକ୍ ଆକାଉଣ୍ଟ ବୋଲି ବିଶ୍ବାସ କରିବ। ଜାଲ୍ ଆକାଉଣ୍ଟ ପ୍ରସ୍ତୁତ କରିଥିବା ବ୍ୟକ୍ତି ଜଣକ ନିଜକୁ ମହାଦେବ ଜୟସୱାଲ ବୋଲି ଦର୍ଶାଇ ବିଭିନ୍ନ ଲୋକଙ୍କ ପାଖକୁ ଫେସ୍‌ବୁକ୍‌ରେ ବନ୍ଧୁତା ପାଇଁ ଅନୁରୋଧ କରୁଥିବା ଜଣାପଡ଼ିଛି। ବନ୍ଧୁତା ଅନୁରୋଧ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସହିତ କିଛି ସମୟ ଏପଟ ସେପଟ ଚାଟିଂ କରିବା ପରେ ସେ ଟଙ୍କା ମାଗୁଛି।

ଏବେ ଡାକ୍ତରଖାନାରେ ଥିବା ଏବଂ ଟଙ୍କା ଅତ୍ୟନ୍ତ ଦରକାର ରହିଥିବା କହିବା ସହିତ ଆସନ୍ତାକାଲି ଫେରେଇଦେବ ବୋଲି କହୁଛି। ଗୁରୁବାର ଜଣେ ସାମ୍ବାଦିକଙ୍କ ସହିତ ଚାଟିଂ କରିବା ବେଳେ ୧୫ ହଜାର ଟଙ୍କା ମାଗିଥିବା ଜଣାପଡ଼ିଥିଲା। ଟଙ୍କା ମାଗିବା ପରେ ସାମ୍ବାଦିକଙ୍କ ସନ୍ଦେହ ହୋଇଥିଲା। ସାମ୍ବାଦିକ ଜଣକ ଫୋନ୍ ପେ’ରେ ଟଙ୍କା ପଠାଇବା ପାଇଁ ମୋବାଇଲ ଫୋନ୍‌ ନମ୍ବର ମାଗିବାରୁ ସେ ୮୦୧୭୯୦୩୮୩୧ ନମ୍ବର ଦେଇଥିଲା। ତେବେ, ସାମ୍ବାଦିକ ଜଣକ ଟଙ୍କା ପଠାଇ ନଥିଲେ। ପ୍ରାୟ ୪/୫ ଦିନ ତଳେ ଏଭଳି ଜାଲ୍ ଫେସ୍‌ବୁକ୍ ଆକାଉଣ୍ଟ ତିଆରି କରି ସଂପୃକ୍ତ ବ୍ୟକ୍ତି ଟଙ୍କା ପାଇଁ ଅନୁରୋଧ କରୁଥିବା କୁହାଯାଉଛି। ତେବେ ପ୍ରଫେସର ଜୟସୱାଲ ତାଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲାଯାଇଥିବା କୌଣସି ସୂତ୍ରରୁ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି।

The post ଆଇଆଇଏମ୍‌ ନିର୍ଦ୍ଦେଶକଙ୍କ‌ ନାମରେ ଜାଲ ଫେସ୍‌ବୁକ୍ ଆକାଉଣ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3kwyJFD