
ବ୍ରହ୍ମପୁର : ନ୍ୟାୟ ଗୁହାରି କରି ଶ୍ବଶୁର ଘର ଆଗରେ ଧାରଣାରେ ବସିଥିବା ବୋହୂ ତପସ୍ବିନୀ ଦାଶଙ୍କ ପିଟିସନ୍(ଏମ୍ସି ନମ୍ବର-୩୪୪/୨୧)ର ଶୁଣାଣି ପାଇଁ ଆଜି କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। ଏଣୁ ଉଭୟ ପକ୍ଷ ଆଜି କୋର୍ଟରେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ କୋର୍ଟ ପିଟିସନ୍ ଉପରେ ଗୋଟିଏ ପକ୍ଷର ଯୁକ୍ତି ଶୁଣିଥିଲେ। ଏସ୍ଡିଜେଏମ୍ ଛୁଟିରେ ଥିବାରୁ ଟ୍ରାନ୍ସପୋର୍ଟ କୋର୍ଟ ମାଜିଷ୍ଟ୍ରେଟ୍ ସଂଗ୍ରାମ କୁମାର ମିଶ୍ର ଦାୟିତ୍ବରେ ରହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂଧ୍ୟାରେ କୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ। ଆସନ୍ତା ୨୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦାୟିତ୍ବରେ ଥିବା ଏସ୍ଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ୱାନ୍ଷ୍ଟପ୍ ସେଣ୍ଟର୍ ସଖୀ କେନ୍ଦ୍ରରେ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ନ୍ୟାୟ ନମିଳିବାରୁ ବୋହୂ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ପୁଣିଥରେ ଧାରଣାସ୍ଥଳକୁ ଚାଲି ଯାଇଛନ୍ତି। ବ୍ରହ୍ମାନଗର ସ୍ଥିତ ଧାରଣାସ୍ଥଳରେ ପୁଲିସ ଜଗି ରହିଥିବା ବେଳେ ସଖୀ କେନ୍ଦ୍ରର କର୍ମକର୍ତ୍ତା ମଧ୍ୟ ରହିଛନ୍ତି। ବୋହୂ ତପସ୍ବିନୀଙ୍କୁ ବୁଝାସୁଝା କରି ସେଠାରୁ ଉଠାଇବା ପାଇଁ ଉଦ୍ୟମ ଚାଲିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ତପସ୍ବିନୀ ଧାରଣାସ୍ଥଳରେ ରହିଛନ୍ତି। ତେବେ ପୁଲିସ ଏ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ରହିଲା।
ପ୍ରକାଶ ଥାଉ କି ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ମହିଳା ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂକୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୂର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ତ୍ରିପାଠୀଙ୍କ ସହାୟତାରେ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି। ତାଙ୍କୁ କେହି ନ୍ୟାୟ ନଦେବାରୁ ଶେଷରେ ସେ କୋର୍ଟର ଆଶ୍ରୟ ନେଇଥିଲେ। ଆଜି ପିଟିସନ୍ର ଶୁଣାଣି ପାଇ ତପସ୍ବିନୀ, ଶ୍ବଶୁର ପ୍ରମୋଦ ସାହୁ ଓ ପୁଅ ସୁମିତ ସାହୁ ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ଉପସ୍ଥିତ ହୋଇଥିଲେ। କୋର୍ଟ ଯାହା ନିର୍ଦ୍ଦେଶ ତେବେ ତାକୁ ଗ୍ରହଣ କରାଯିବ ବୋଲି ଶ୍ବଶୁର ପ୍ରମୋଦ କହିଛନ୍ତି। କୋର୍ଟ ମାମଲାର ଶୁଣାଣି ୨୯ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହା ଶୁଣିବା ପରେ ତପସ୍ବିନୀ କାନ୍ଦିକାନ୍ଦି କୋର୍ଟରୁ ବାହାରି ଆସିଥିଲେ। ଏହାପରେ ସେ ସମାଜସେବୀ ତ୍ରିପାଠୀଙ୍କ ସହିତ ଚାଲିଚାଲି କମାପଲ୍ଲୀ ଛକ ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ଏକ ଅଟୋରେ ସିଧାସଳଖ ଧାରଣାସ୍ଥଳକୁ ଚାଲି ଯାଇଥିଲେ। ପୁଲିସ ସେଠାରୁ ଜଗି ରହିଛି।
The post ଶ୍ବଶୂର ଘର ଆଗରେ ବୋହୂର ଧାରଣା, ପିଟିସନ୍ ଶୁଣାଣି ପୁଣି ୨୯ରେ first appeared on Sambad.from ଜିଲ୍ଲା | Sambad https://ift.tt/31bkXl4
0 Comments