ଗଡ଼ପୋଷ : ବାମରା ବ୍ଲକ ରବଗା ପଞ୍ଚାୟତ ମଝାପଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଏକ ଗଛରୁ ଜଣେ ନାବାଳକର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗଛରେ ରଶି ବାନ୍ଧି ଦୋଳି ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ‌ରଶିରେ ଫସି ନାବାଳକର ଜୀବନ ଯାଇଥିବା ଅନୁମାନ କରାଯାଇଛି।

ସୂଚନା ଅନୁସାରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ମଝାପଡା ନିବାସୀ ଜାବୃଷ ଲୁଗୁନଙ୍କ ପୁଅ ପ୍ରଶାନ୍ତ ଲୁଗୁନ(୧୨) ବୁଧବାର ରବଗା ମଝାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଇଥିଲା। ଅପରାହ୍‌ଣ ପ୍ରାୟ ୧ଟା ୩୦ ରେ ଘରକୁ ଫେରିଥିଲେ। ବହିପତ୍ର ରଖି ପୁଣି ଖେଳିବା ପାଇଁ ବାହାରି ଯାଇଥିଲା। ଅପରାହ୍‌ଣ ୩ଟାରେ ତାର ତିନି ସାଙ୍ଗ ଆସି ପ୍ରଶାନ୍ତର ମୃତ ଦେହ ଗଛରେ ଝୁଲୁଥିବା ଘର ଲୋକଙ୍କୁ ଖବର ଦେଇଥିଲେ। ବାପା ଜାବୃଷ ତୁରନ୍ତ ସେଠାକୁ ପହଞ୍ଚି ପୁଅକୁ ରଶିରେ ଝୁଲିଥିବା ଦେଖି ତଳକୁ ଓହ୍ଲାଇ ଆଣିଥିଲେ। ମାତ୍ର ସେତେବେଳକୁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇାସାରିଥିଲା।

ଖବର ପାଇ ଗୋବିନ୍ଦପୁର ଥାନାଧିକାରୀ ଅଜୟ ଜେନା ଓ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅନୁସନ୍ଧାନ ଜାରି ରଖିଛନ୍ତି। ପୂର୍ବରୁ ପ୍ରାୟ ଦିନମାନଙ୍କରେ ରଶିଦ୍ୱାରା ବିଭିନ୍ନ ଗଛ ମାନଙ୍କରେ ଗ୍ରାମର ଛୋଟ ପିଲାମାନେ ମିଶି ଦୋଳି ଖେଳିଥା’ନ୍ତି। ବୁଧବାର ଦିନ ରଶି ବାନ୍ଧୁଥିବା ସମୟରେ ତାହା ବେକରେ ଫସି ଯାଇଥିବା ଅନୁମାନ କରାଯାଉଛି। ଅନୁସନ୍ଧାନ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ପ୍ରଶାନ୍ତଙ୍କ ମୃତ୍ୟୁ ପରେ ଘରେ ବାପା, ମା’ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି।

The post ଦୋଳି ଖେଳିବା କାଳ ହେଲା, ଗଛରୁ ନାବାଳକଙ୍କ ଝୁଲନ୍ତା ଶବ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3oWUZKe