ମାହାଙ୍ଗା : ମାହାଙ୍ଗା ଡବଲ୍‌ ମର୍ଡର ଘଟଣାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି କଂଗ୍ରେସ। ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ରକରି ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ମାହାଙ୍ଗା ଡବଲ୍‌ ମର୍ଡର ଘଟଣା ଏକପ୍ରକାର ଥମିଯାଇଥିଲା। ଏହିଭଳି ଏକ ସମୟରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଶୁକ୍ରବାର ଦିନ ସ୍ବର୍ଗତ କୁଳମଣି ବରାଳଙ୍କ ନୁର୍ତ୍ତାଙ୍ଗସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ, ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି।

ବ୍ଲକ୍‌ ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତ ଯଁକୋଟୀରେ ଗତ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଆସିଛି। ଆଜି ଡ. ଚେଲ୍ଲାକୁମାର ସ୍ବର୍ଗତ କୁଳମଣି ବରାଳଙ୍କ ନୁର୍ତ୍ତାଙ୍ଗସ୍ଥିତ ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ। ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଥିଲେ ଯେ ବିଜେପି ପ୍ରଭାରୀ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିଲା। ଦୁଇବର୍ଷ ତଳେ ବିକାଶ ଜେନାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ସଂପର୍କରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଅବଗତ ଅଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ଚେଲ୍ଲାକୁମାର ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଉଲ୍ଲେଖ କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବାକୁ ଦାବି କରିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଡବଲ ମର୍ଡର ଘଟଣାରେ ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଇସ୍ତଫା ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ।

ପ୍ରାରମ୍ଭରେ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଖନ୍ଦୋଳରୁ ବାଇକ୍‌ ଶୋଭାଯାତ୍ରାରେ ଡ. ଚେଲ୍ଲାକୁମାରଙ୍କ ସମେତ ଅନ୍ୟ ନେତାମାନଙ୍କୁ ସ୍ବର୍ଗତ ବରାଳଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରୁଦ୍ର ରାଜୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ, ପ୍ରଦେଶ ଓବିସି ମୁଖ୍ୟ ଜ୍ଞାନଦେବ ବେଉରା, ଜିଲ୍ଲା ସମ୍ପାଦକ ପ୍ରସନ୍ନ ନାୟକ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ୟାସିର୍‌ ନଓ୍ବାଜ୍‌, ଯୁବନେତା ୟାକୁବ୍‌ ଖାଁ, ଜିଲ୍ଲା ସମ୍ପାଦକ ସରୋଜ ପରିଡ଼ା, ପ୍ରସନ୍ନ ନାୟକ, ମହମ୍ମଦ ଅତାରୁଲ୍‌ ଇସ୍‌ଲାମ୍‌, ମାହାଙ୍ଗା ବ୍ଲକ୍‌ କଂଗ୍ରେସ ସଭାପତି ଅଲେଖ ପ୍ରସାଦ ସ୍ବାଇଁ, ନିଶ୍ଚିନ୍ତକୋଇଲି ବ୍ଲକ୍‌ କଂଗ୍ରେସ ସଭାପତି ରମାକାନ୍ତ ବେହେରା, ସାଲେପୁର ବ୍ଲକ୍‌ କଂଗ୍ରେସ ସଭାପତି ବେଣୁଧର ପ୍ରଧାନ, ମାହାଙ୍ଗା ବ୍ଲକ୍‌ ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ଖଟୁଆ, ବ୍ଲକ୍‌ ଯୁବ କଂଗ୍ରେସ ସଭାପତି ବିବେକାନନ୍ଦ ମହାପାତ୍ର, ଚୈତନ୍ୟ ଚରଣ ପାଣି, ପ୍ରଦୀପ୍ତ ରାରତରାୟ, ରବିନାରାୟଣ ଦାସ, ଉତ୍ସବ ପରିଡ଼ା, ଦୁଃଶାସନ ନାୟକ, ଶଶିଭୂଷଣ ମହାନ୍ତି, ଦିଲ୍ଲୀପ ବିଶ୍ବାଳ, ପୁନ୍ ବିଶ୍ବାଳ, ରୀତାରାଣୀ ସାମଲଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

The post ମାହାଙ୍ଗା ଡବଲ୍‌ ମର୍ଡର ଘଟଣା: ପୁଣି ଚର୍ଚ୍ଚାକୁ ଆଣିଲା କଂଗ୍ରେସ first appeared on Sambad.

from ଜିଲ୍ଲା | Sambad https://ift.tt/30DXOYB