
ରାଉରକେଲା, (ଦେବବ୍ରତ ଗଡ଼ତିଆ): ପୁଣିଥରେ ଜନ୍ମମାଟି ସୁନ୍ଦରଗଡ଼ର ଟେକ ରଖିଛନ୍ତି ୩ ହକି ଖେଳାଳି। କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କନିଷ୍ଠ ହକି ବିଶ୍ବକପ୍ ଚୂଡ଼ାନ୍ତ ଦଳରେ ସ୍ଥାନ ସୁରକ୍ଷିତ ରଖିଥିବା ଫରୱାର୍ଡ୍ ଖେଳାଳି ସୁଦୀପ ଚିରମାକୋ, ଡିଫେଣ୍ଡର ଅଭିଷେକ ଲାକ୍ରା ଓ ଡିଫେଣ୍ଡର ସୁନିଲ ଯୋଯୋ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବିଶ୍ବକପ୍ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ଚୟନ ଶିବିରରେ ଓଡ଼ିଶାର ୭ ଜଣ ଖେଳାଳି, ସୁଦୀପ ଚିରମାକୋ, ଅଭିଷେକ ଲାକ୍ରା, ସୁନିଲ ଯୋଯୋ, ନବୀନ କୁଜୁର, ଗ୍ରେଗୋରୀ ଖେସ୍, ସିରିଲ ଲୁଗୁନ, କଟକର ଗୋଲ୍ରକ୍ଷକ ସାହିଲ କୁମାର ନାୟକ ସାମିଲ ହୋଇଥିଲେ। ତେବେ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରସ୍ତୁତି ଶିବିର ପାଇଁ ଘୋଷିତ ୨୪ ଜଣିଆ ସମ୍ଭାବ୍ୟ ଦଳରୁ ନବୀନ ଓ ଗ୍ରେଗୋରୀ ବାଦ୍ ପଡ଼ିଥିବା ବେଳେ ଚୂଡ଼ାନ୍ତ ୧୮ ଜଣିଆ ଦଳରୁ ଗୋଲ୍ରକ୍ଷକ ସାହିଲ ଓ ସିରିଲ ବାଦ୍ ପଡ଼ିଛନ୍ତି। ତେବେ ଏହି ୩ ସୁନ୍ଦରଗଡ଼ ଖେଳାଳିଙ୍କ ପାଇଁ ଏବେ ଜିଲ୍ଲାରେ ଉତ୍ସବର ମାହୋଲ ଖେଳିଯାଇଛି।

ସୁଦୀପ ଚିରମାକୋ
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବଡ଼ନୂଆଗାଁରେ ବିପିନ କିଶୋର ଚିରମାକୋ ଓ ପାଓଲିନା ଚିରମାକୋଙ୍କ ଔରସରୁ ତୃତୀୟ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ସେ ସମୟରେ ଜଣେ ଜଣାଶୁଣା ହକି ଖେଳାଳି ଥିବାବେଳେ ବଡ଼ଭାଇ ଅମିତ ମଧ୍ୟ ହକି ଖେଳୁଥିଲେ। ଏମାନଙ୍କଠାରୁ ପ୍ରେରଣା ପାଇ ସୁଦୀପ ମାତ୍ର ୧୦ ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲେ। ଗାଁ ମାଟିରେ ହକି ଖେଳିବାର କିଛି ଦିନ ପରେ ୨୦୧୨ ନଭେମ୍ବର ଶେଷ ଆଡ଼କୁ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇଥିଲେ। ସେତେବେଳକୁ ବଡ଼ଭାଇ ଅମିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହୋଇ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇସାରିଥିଲେ। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହିଁ ହକି କଳାକୌଶଳ ଶିଖିଥିବା ବେଳେ ବଡ଼ଭାଇଙ୍କଠାରୁ ମଧ୍ୟ ଏକାଧିକ ଉପାଦେୟ ପରାମର୍ଶ ଗ୍ରହଣ କରି ନିଜ କୌଶଳକୁ ଶାଣିତ କରିଥିଲେ। ୨୦୧୩ ମସିହାରେ ଉପକନିଷ୍ଠ ଜାତୀୟ, ୨୦୧୭ରେ କନିଷ୍ଠ ଜାତୀୟ ଓ ୨୦୧୮ ମସିହାରେ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କ୍ରମାଗତ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁଁ ସେ ୨୦୧୮ ମସିହାରେ ଭାରତୀୟ କନିଷ୍ଠ ଦଳରେ ସାମିଲ ହୋଇଥିଲେ। ଉକ୍ତବର୍ଷ ଆର୍ଜେଣ୍ଟିନାରେ ଅନୁଷ୍ଠିତ ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ନିର୍ଭରଯୋଗ୍ୟ ଖେଳାଳି ହେବାସହ ସର୍ବାଧିକ ୧୧ଟି ଗୋଲ୍ ସ୍କୋର୍ କରି ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲ୍ ସ୍କୋରର୍ ବିବେଚିତ ହୋଇଥିଲେ। ଏହାପରେ ସ୍ପେନ୍ରେ ଅନୁଷ୍ଠିତ ୮ ରାଷ୍ଟ୍ରୀୟ ହକି ପ୍ରତିଯୋଗିତା (୨୦୧୯) ଓ ମାଲେସିଆରେ ଅନୁଷ୍ଠିତ ସୁଲତାନ ଜୋହର କପ୍ ହକି (୨୦୨୦)ରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ଅନ୍ତର୍ଜାତୀୟ ପଦାର୍ପଣ ଦିନଠାରୁ ଆଉ ପଛକୁ ଫେରିଚାହିଁନାହାନ୍ତି ସୁଦୀପ। ଗୋଟିଏ ପରେ ନୂଆ ଉପଲବ୍ଧି ହାସଲ କରିଚାଲିଛନ୍ତି। ପ୍ରକାଶଯୋଗ୍ୟ, ସୁଦୀପଙ୍କ ସାନ ଭାଇ ରୋହିତ ବର୍ତ୍ତମାନ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ରହି ହକି ଶିକ୍ଷା ଗ୍ରହଣ କରୁଛନ୍ତି।
ପ୍ରତିକ୍ରିୟା: ‘ଦଳରେ ସାମିଲ ହେବାପରେ ପ୍ରଥମେ ପରିବାର ସଦସ୍ୟଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲି। ସମସ୍ତେ ବେଶ୍ ଖୁସି ଅଛନ୍ତି। ଭାରତୀୟ ଦଳର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବାର ଅନୁଭୂତି ବେଶ୍ ନିଆରା। ମୋ ଉପରେ ପରିବାରବର୍ଗ ଯେଉଁ ଆଶା, ଭରସା ରଖିଛନ୍ତି ତାକୁ ପୂରଣ କରିବି। ଉନ୍ନତ ପ୍ରଦର୍ଶନ କରି ଜନ୍ମମାଟି ସୁନ୍ଦରଗଡ଼ର ନାଁ ରଖିବାକୁ କୌଣସି ସୁଯୋଗ ହାତଛଡ଼ା କରିବିନି।

ଅଭିଷେକ ଲାକ୍ରା
ଅଭିଷେକଙ୍କ ଜନ୍ମ ସ୍ଥାନ ହେଉଛି ରାଜଗାଙ୍ଗପୁର ବ୍ଳକ୍ ଅନ୍ତର୍ଗତ କେଶ୍ରାମାଲ। ତାଙ୍କ ପରିବାର କହିଲେ ବାପା ଅନିଲ ଲାକ୍ରା, ମା ବାହାମନୀ ଲାକ୍ରା ଓ ୨ ଭାଇ, ଗୋଟିଏ ଭଉଣୀ। ଗାଁର ଧୂଳିମାଟିରେ ପ୍ରଥମେ ହକି ଷ୍ଟିକ୍ ଧରିଥିବା ଅଭିଷେକ ୨୦୧୨ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ବିଧିବଦ୍ଧ ଭାବେ ହକି ଶିକ୍ଷା ଗ୍ରହଣ କରିଥିଲେ। ସେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୨୦୧୬ ମସିହାରେ ରାୟପୁରରେ ଅନୁଷ୍ଠିତ କନିଷ୍ଠ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ଓ ୨୦୧୮ରେ ଭୋପାଳରେ ଅନୁଷ୍ଠିତ କନିଷ୍ଠ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜୟୀ ଦଳର ସଦସ୍ୟ ଥିଲେ। ମୋଟ୍ ୩ଟି ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରି ଉନ୍ନତ ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ତାଙ୍କୁ ପ୍ରଥମଥର ପାଇଁ ବିଶ୍ବକପ୍ ଦଳ ପାଇଁ ଚୟନ ଶିବିରକୁ ଡକାଯାଇଥିଲା।
ପ୍ରତିକ୍ରିୟା: ‘ବ୍ୟକ୍ତିଗତ ଭାବେ ବହୁତ ଖୁସି। ତେବେ ଦଳରେ ୩ ଜଣ ଓଡ଼ିଆଙ୍କ ପ୍ରତିନିଧିତ୍ବ ଖୁସିକୁ ଦ୍ବିଗୁଣିତ କରିଛି। ପିଲାଟି ଦିନରୁ ବାପାଙ୍କୁ ଦେଖି ହକି ଖେଳିବା ଆରମ୍ଭ କରିଥିଲି। ସେମାନଙ୍କର ପ୍ରୋତ୍ସାହନ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଥାଏ। ଶେଷରେ ଦଳରେ ସାମିଲ ହୋଇ ପରିବାରବର୍ଗଙ୍କ ସ୍ବପ୍ନକୁ ସାକାର କରିଛି। ଆଗାମୀ କନିଷ୍ଠ ବିଶ୍ବକପ୍ ଦଳରେ ଉନ୍ନତ ପ୍ରଦର୍ଶନ ଜାରି ରଖି ବରିଷ୍ଠ ଭାରତୀୟ ଦଳରେ ସାମିଲ ହେବା ହିଁ ଏକମାତ୍ର ଲକ୍ଷ୍ୟ।

ସୁନିଲ ଯୋଯୋ
କୁତ୍ରା ବ୍ଲକ୍ ଗମ୍ଭାରଡ଼ିହି ଯୋଯୋ ପଡ଼ାରେ ଜନ୍ମଗ୍ରହଣ କରିଥିଲେ ସୁନିଲ। ପରିବାର କହିଲେ ବାପା ସ୍ବର୍ଗତ ସଦାନନ୍ଦ ଯୋଯୋ, ମା ଜୁଲିଆନୀ ଯୋଯୋ ଓ ବଡ଼ଭଉଣୀ। ସୁନିଲଙ୍କୁ ମାତ୍ର ୨ ବର୍ଷ ହେଲାବେଳକୁ ବାପାଙ୍କ ଅକାଳ ବିୟୋଗ ଘଟିଥିଲା। ଏଣୁ ପିଲାଟି ଦିନରୁ ଦୁର୍ଦିନରେ ଜୀବନ କାଟିଥିଲେ ସେ। ତେବେ ହକି ଖେଳ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହେବାରୁ ପରିବାର ସଦସ୍ୟ ଖୋଲା ସମର୍ଥନ କରିଥିଲେ। ଯାବତୀୟ ଝଡ଼ଝଞ୍ଜା, ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସୁନିଲଙ୍କୁ ହକି ଖେଳିବାକୁ ପ୍ରୋତ୍ସାହିତ କରିଥିଲେ। ସେ ୨୦୧୪ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ପରେ ଏକାଧିକ ଉପକନିଷ୍ଠ, କନିଷ୍ଠ, ଓ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ୨୦୧୮ ମସିହାରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ଉପକନିଷ୍ଠ ଜାତୀୟ, ୨୦୧୯ରେ ଔରଙ୍ଗାବାଦରେ ଅନୁଷ୍ଠିତ କନିଷ୍ଠ ଜାତୀୟ ଓ ୨୦୨୦ ମସିହାରେ ଝାନ୍ସିରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିଲେ। ପ୍ରତ୍ୟେକ ବର୍ଗରେ ସେ ଦଳର ଜଣେ ନିର୍ଭରଯୋଗ୍ୟ ଡିଫେଣ୍ଡର ଭାବେ ଉଭା ହୋଇଥିଲେ। କ୍ରମାଗତ ଉନ୍ନତ ପ୍ରଦର୍ଶନ ବଳରେ ସେ କନିଷ୍ଠ ଭାରତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି।
ପ୍ରତିକ୍ରିୟା: ‘ଭାରତୀୟ ଦଳରେ ସାମିଲ ହେବାର ମୂହୁର୍ତ୍ତ ଅବର୍ଣ୍ଣନୀୟ। ପ୍ରକୃତରେ ଖୁସି ବ୍ୟକ୍ତ କରିବାକୁ ଶବ୍ଦ ନାହିଁ। ଦଳରେ ସାମିଲ ହେବାପରେ ମା’ଙ୍କୁ ଫୋନ୍ କରିଥିଲି। ମା’ଠାରୁ ପ୍ରାୟ ସାଢ଼େ ୪ଶହ କିଲୋମିଟର ଦୂରରେ ଥିଲେ ମଧ୍ୟ ତାଙ୍କର ଖୁସିକୁ ଅନୁଭବ କରିପାରିଥିଲି। ଦଳରେ ସାମିଲହେବା ଗୋଟିଏ ପାହାଚ ଅତିକ୍ରମ କରିବା ସଦୃଶ। ଆଗାମୀ ଦିନରେ ଉନ୍ନତ ପ୍ରଦର୍ଶନ କରି ଦଳବୁ ଟ୍ରଫି ଜିତାଇବା ହିଁ ଏକମାତ୍ର ଲକ୍ଷ୍ୟ। ସୁସଂଗଠିତ ହୋଇ ଦଳ ଏଥର ସଫଳତା ଆଣିବା ନିଶ୍ଚିତ।
The post ହକି ବିଶ୍ୱକପ୍ ଗୌରବ ଦ୍ୱାରରେ ୩ ପ୍ରତିଭା first appeared on Sambad.from ଜିଲ୍ଲା | Sambad https://ift.tt/2YMaI5O
0 Comments