କଟକ : ‘ନିଟ୍’ ଫଳରେ ତ୍ରୁଟି ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ହାଇକୋର୍ଟ ‘ନାସନାଲ୍‌ ଟେଷ୍ଟିଂ ଏଜେନ୍ସି’କୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ‘ଓରିଜିନାଲ୍‌ ଓଏମ୍‌ଆର୍‌ ସିଟ୍’ ସହିତ ୨୦୨୧, ନଭେମ୍ବର ୧ରେ ପ୍ରକାଶିତ ‘ଆନସର କି’ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଜେ. ସିଂହ ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ. ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪କୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ମେଡିକାଲ ସ୍ନାତକ (ଏମ୍‌ବିବିଏସ୍‌) ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ‘ନାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌)’ ଫଳରେ ଅସନ୍ତୋଷ ପ୍ରକାଶ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କୁ ୭୨୦ ମାର୍କରୁ ମାତ୍ର ୯୯ ମାର୍କ ମିଳିଛି। ସେ ୭୦୨ ମାର୍କ ପାଇବାକୁ ହକଦାର ବୋଲି ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ ‘ନାସନାଲ୍‌ ଟେଷ୍ଟିଂ ଏଜେନ୍ସି’ ଓ ‘ସିବିଏସ୍‌ଇ’କୁ ପକ୍ଷଭୁକ୍ତ କରାଯାଇଛି।

The post ନିଟ୍ ଫଳକୁ ନେଇ ମାମଲା: ହାଇକୋର୍ଟଙ୍କ ଜବାବ ତଲବ, ଉତ୍ତରଖାତା ଦାଖଲ ପାଇଁ ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3qwoQvc