ବନ୍ତଳା: ଅନୁଗୁଳ ବ୍ଲକ ଅଞ୍ଚଳରେ କିଛିବର୍ଷ ହେବ ହେଲା ବଣୁଆ ହାତୀ ପାର୍ଦୁଭାବ ବଢ଼ିବାରେ ଲାଗିଛି। ଜଙ୍ଗଲୀ ହାତୀପଲ ଜନବସତି ମୁହାଁ ହୋଇ ଜନ ଜୀବନ ନଷ୍ଟ କରୁଛନ୍ତି। ଅନ୍ୟ ପକ୍ଷରେ ମନ୍ୟୁଷକୃତ କାରଣରୁ ହାତୀ ମାନଙ୍କର ଜୀବନ ମଧ୍ୟ ନଷ୍ଟ ହେଉଛି। ଫଳରେ ବନ ବିଭାଗକୁ ଅନେକ ସମୟରେ ଅଡ଼ୁଆ ପରିସ୍ଥିତିରେ ଉପୁଜୁଛି। ଏଭଳି ସ୍ଥିତିରେ ବନ ବିଭାଗ ପକ୍ଷରୁ ବାଣ ବ୍ୟବହାର କରି ହାତୀ ଘଉଡାଇବାକୁ ପଡୁଛି। ଜଙ୍ଗଲୀ ହାତୀ ପଲଙ୍କୁ କିଭଳି ନିରାପଦରେ ଘଉଡ଼ା ଯିବ ସେନେଇ ବନ୍ତଳା ଅଞ୍ଚଳର ଜଣେ ଯୁବକ ଗୋଟିଏ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ କଲେଇପଦା ଗ୍ରାମର ରସାନନ୍ଦ ସାହୁ ନାମକ ଜଣେ ଯୁବକ ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଲାଇଟିଙ୍ଗ ଗନ। ପ୍ଲାଷ୍ଟିକ ପାଇପ, ଲାଇଟର, କାର୍ବୋରାଇଟକୁ ବ୍ୟବହାର କରି ହାତୀ ଘଉଡାଇବା ଯନ୍ତ୍ର ବା ଲାଇଟିଙ୍ଗ ଗନ ଉଦ୍ଭାବନ କରିଛନ୍ତି। ଯେଉଁଥିରୁ ପ୍ରଚଣ୍ଡ ଶବ୍ଦ ନିର୍ଗତ ହେଉଛି। ଗାଁ ମୁହାଁ ହାତୀପଲକୁ ଘଉଡ଼ାଇବାରେ ସୁଫଳ ମିଳୁଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ଅନୁଗୋଳ ବ୍ଲକର ଅନୁଗୁଳ ବନାଞ୍ଚଳ ଓ ବନ୍ତଳା ବନାଞ୍ଚଳ ଅଞ୍ଚଳରେ ହାତୀ ଘଉଡାଇବା ପାଇଁ ଏହା ସହାୟକ ହେବ ଓ ପରୀକ୍ଷାମୂଳକ ବ୍ୟବହାର ପାଇଁ ୧୦ଟି ଲାଇଟିଙ୍ଗ ଗନକୁ ବନ୍ତଳା ବନାଞ୍ଚଳକୁ ସେ ଦେଇଛନ୍ତି। ବନ ବିଭାଗ ହାତୀ ଘଉଡାଇବା ପାଇଁ ବ୍ୟବହାର କରୁଥିବା ବାଣର ମୂଲ୍ୟ ୩୦ ଟଙ୍କାରୁ ଅଧିକ ହେବ। ଯାହାକି ଉଭୟ ବନ କର୍ମଚାରୀ ଓ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି କରିପାରେ। କିନ୍ତୁ ଏହି ହାତୀ ଘଉଡାଇବା ଯନ୍ତ୍ରରେ ୨୦ ଟଙ୍କା ଖର୍ଚ୍ଚରେ ପ୍ରାୟ ୨୫ ଥର ସାଉଣ୍ଡ ବାହାରିପାରିବ ଓ ଏହା ବ୍ୟବହାରରେ କୌଣସି ବିପଦ ମଧ୍ୟ ନାହିଁ। ଅନ୍ୟ ପକ୍ଷରେ ଏହା ବାୟୁ ପ୍ରଦୂଷଣ ମଧ୍ୟ କରିବ ନାହିଁ। ଏହା ଭବିଷ୍ୟତରେ ବଣୁଆ ହାତୀ ପଲଙ୍କୁ ଘଉଡାଇବା ପାଇଁ ବେଶ କାର୍ଯ୍ୟ କରିବ ବୋଲି ରସାନନ୍ଦ ଆଶା ପ୍ରକଟ କରିଛନ୍ତି।

The post ଯୁବକ ତିଆରି କଲେ ହାତୀ ଘଉଡାଇବା ଯନ୍ତ୍ର, ଅଳ୍ପ ଖର୍ଚ୍ଚରେ ନିରାପଦରେ ହେବ ବ୍ୟବହାର first appeared on Sambad.

from ଜିଲ୍ଲା | Sambad https://ift.tt/3lgtWIB