
ଘଟଗାଁ : ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଛାତ୍ରଙ୍କୁ କିଛି ଛାତ୍ର ସଂଘବଦ୍ଧ ଭାବେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ମାରପିଟ୍ ବେଳେ ଛଡ଼ାଇବାକୁ ଆସିଥିବା ସମ୍ପୃକ୍ତ ଛାତ୍ରଙ୍କ ବାପା ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ବାପାପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି।
କଲେଜ ପରିସରରେ ମୋବାଇଲ ବଜାଇ କିଛି ପିଲା ନାଚ କରୁଥିଲେ। ଏହାକୁ ଅନ୍ୟ କିଛି ଛାତ୍ର ବିରୋଧ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗେଟ୍ ବାହାରକୁ ଗଲେ ଦେଖିଦେବୁ ବୋଲି ଗୋଟିଏ ଗୋଷ୍ଠୀ କହିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ କରିଥିଲେ। ପରେ ଦିନ ପ୍ରାୟ ସାଢ଼େ ୧୨ଟାବେଳେ ସୃଷ୍ଟି ନାରାୟଣ ଦେହୁରୀ ନାମକ ଜଣେ ଯୁକ୍ତ ୩ ଛାତ୍ର କଲେଜ ବାହାରକୁ ଆସିବାରୁ ତାଙ୍କୁ କିଛି ଛାତ୍ର ସଂଘବଦ୍ଧ ହୋଇ ଠେଙ୍ଗାବାଡ଼ିରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ପୁଅକୁ ମାଡ଼ ହେଉଥିବା ଖବର ପାଇ ବାପା ପ୍ରଦୀପ ଦେହୁରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ପ୍ରଦୀପଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ବାପପୁଅଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ନିଆଯାଇଥିଲା। ପ୍ରଦୀପଙ୍କ ଅବସ୍ଥା ସାଂଘାତିକ ହୋଇଯିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିଥିବା ଛାତ୍ରମାନେ ସାନ୍ତରାପୁର ଗ୍ରାମର ବୋଲି ଜଣାପଡ଼ିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ଅଧ୍ୟାପକ ବସନ୍ତ କୁମାର ବଳଙ୍କୁ ଯୋଗାଯୋଗ କରାଯାଇଥିଲା। ଘଟଣା କଲେଜ ବାହାରେ ଘଟିଥିବାରୁ ସେ ଏ ବାବଦରେ କିଛି କହିବାକୁ ମନା କରିଥିଲେ।
The post ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3cyG82K
0 Comments