ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଅଗ୍ନିଶମ ବିଭାଗର ଜନୈକ କର୍ମଚାରୀ ଜଣେ ରକ୍ତ ଜୁଡୁବୁଡୁ ଛାତ୍ରଙ୍କୁ ରାସ୍ତାରୁ ଉଠାଇ ମେଡିକାଲରେ ପହଞ୍ଚାଇଛନ୍ତି। ଏହି ଦୃଶ୍ୟ ସମସ୍ତେ ଦେଖୁଥିଲେ ବି‌ କେହି ପାଖକୁ ଯାଇନଥିଲେ। ତାଙ୍କର ଏଭଳି ମାନବିକତା ପଥଚାରୀଙ୍କୁ ସ୍ତବ୍ଧ କରି ଦେଇଛି। ତାଙ୍କର ଏଭଳି କାର୍ଯ୍ୟ ଯୁବସମାଜ ପାଇଁ ଏକ ପ୍ରେରଣା ବୋଲି ଜାଣିବା ଶୁଣିବା ମହଲରୁ ମତ ପ୍ରକାଶ ପାଇଛି।

ଗୁରୁବାର ପୂର୍ବାହ୍ନ ୯ଟା ବେଳର କଥା। ଜିତୁ ଫୁଲବଂଶ ଓ ତାଙ୍କ ସାଙ୍ଗ ଏକ ବାଇକରେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ କୃଷି ବିଭାଗ ଅଫିସ ସମ୍ମୁଖରେ ଏକ ମଇଁଷି ଆଗକୁ ଆସିଯାଇଥିଲା। ଭାରସାମ୍ୟ ହରାଇବାରୁ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ଛାତ୍ର ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜିତୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି କାନ, ନାକ ଓ ପାଟିରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ପଥଚାରୀମାନେ ପାଖକୁ ଆସି ଭିଡ଼ ଜମାଇଥିଲେ। କିନ୍ତୁ କୌଣସି ଲୋକ ସେମାନଙ୍କୁ ସହାୟତା କରିନଥିଲା।

ସେହି ସମୟରେ ଅଗ୍ନିଶମ ବିଭାଗ କନଷ୍ଟେବଳ ଚନ୍ଦନ ସାହୁ କୌଣସି କାମରେ ସେଠାରେ ପହଞ୍ଚି ଥିଲେ। ସ୍କୁଲ ଛାତ୍ରଙ୍କ ଏଭଳି କରୁଣ ଦୃଶ୍ୟକୁ ଦେଖି କାଳବିଳମ୍ବ ନ କରି ନିଜ କାନ୍ଧରେ ବୋହି ମେଡିକାଲରେ ପହଞ୍ଚାଇ ଥିଲେ। ନେଉଥିବା ସମୟରେ କେହି ଜଣେ ପଥଚାରୀ ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରି ଦେଇଛନ୍ତି। ଏହି ୩୫ ସେକେଣ୍ଡର ଭିଡିଓରେ ତାଙ୍କ ମାନବିକତା ଦେଖିବାକୁ ମିଳିଛି। ମେଡିକାଲ ନେବା ପରେ ଡାକ୍ତର ଲକ୍ଷ୍ମୀ ନାରାୟଣ ନାୟକ ପ୍ରାଥମିକ ଚିକିତ୍ସା କରାଇଥିଲେ। ଜିତୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ସାଥି ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଶ୍ରୀ ଚନ୍ଦନଙ୍କ  ଏହି ମାନବିକତାକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

The post ଅଗ୍ନିଶମ କର୍ମଚାରୀଙ୍କ ମାନବିକତା: ରାସ୍ତାରୁ ମୁମୂର୍ଷୁ ଛାତ୍ରଙ୍କୁ ମେଡିକାଲ ବୋହିନେଲେ first appeared on Sambad.

from ଜିଲ୍ଲା | Sambad https://ift.tt/32gOo5B