ସମ୍ବଲପୁର : ସମ୍ବଲପୁର ସହର ଉପକଣ୍ଠ ଭତରାଠାରେ ସ୍ବେରେଜ୍‌ କାମ ଚାଲିଥିବା ସ୍ଥାନରେ ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥ ସଂପୂର୍ଣ୍ଣ ଧସି ଯାଇଛି। ଫଳରେ ଉକ୍ତ ରାସ୍ତା‌ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗୁରୁବାର ଦିନ ୩ଟା ୩୦ ବେଳେ ସେଠାରେ ପଥର ଫଟାଇବା ପାଇଁ ବିସ୍ଫୋରଣ କରା ଯାଇଥିଲା। ଏହାପରେ ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଥିଲା। ଆତଙ୍କିତ ହୋଇ ଗାତ ଭିତରେ ଥିବା ଶ୍ରମିକମାନେ ଉପରକୁ ଚାଲି ଆସିଥିଲେ। ଏହାପରେ ରାସ୍ତା ଧସି ଯାଇ ଗାତ ଭିତରେ ପଡ଼ିଥିଲା। ତେଣୁ କୌଣସି ପ୍ରକାର ଅଘଟଣ ଘଟି ନଥିଲା।

ପ୍ରାୟ ୩୦ ଫୁଟ୍ ପ୍ରସ୍ଥ ଉକ୍ତ ରାସ୍ତାର ୬୦% ଖୋଳାଯାଇ ସ୍ବେରେଜ୍ ପାଇପ୍‌ ପକାଇବା କାମ ଚାଲିଥିଲା। ଅବଶିଷ୍ଟ ରାସ୍ତାରେ ଯାନବାହନ ଚାଲୁଥିଲା। ପାଇପ୍‌ ପକାଇଲା ବେଳେ ପଥର ଫଠାଇବା ପାଇଁ କରାଯାଉଥିବା ବିସ୍ଫୋରଣ କାରଣରୁ କିଛି ଦିନ ତଳେ ଅତଡ଼ା ଧସିଥିଲା। ତେଣୁ ଯିବା ଆସିବା ପାଇଁ ଥିବା ବଳକା ରାସ୍ତାର ପ୍ରସ୍ଥ କମି ଯାଇଥିଲା। କିନ୍ତୁ ଗୁରୁବାର ରାସ୍ତାର ଅବଶିଷ୍ଟ ଅଂଶ ବି ଧସି ଯାଇଛି। ରାସ୍ତାର ଉପର ପରସ୍ତ ଯାଇ ଗାତ ଭିତରେ ପଡ଼ିଛି। ଆଉ ମାତ୍ର କେଇ ଫୁଟ୍‌ ରାସ୍ତା ବାକି ରହିଛି। ସେ ବାଟ ଦେଇ ଯିବା ଆସିବା ବିପଜ୍ଜନକ ହୋଇଥିବାରୁ ସବୁ ଯାନବାହନ ବନ୍ଦ କରି ଦିଆଯାଇଛି। କେବଳ ସ୍ଥାନୀୟ ଲୋକଙ୍କ ଦୁଇଚକିଆ ଗାଡ଼ି ଯିବାକୁ ଅନୁମତି ଦିଆଯାଇଛି। ୩୦-୪୦ ଫୁଟ୍‌ ଲମ୍ବାରେ ଏହି ରାସ୍ତା ଧସିଥିବାବେଳେ ପାଇପ୍ ପକାଇବା ପାଇଁ ଆବଶ୍ୟକ ଗଭୀରତା ପର୍ଯ୍ୟନ୍ତ ଗାତ ଖୋଳା ଯାଇ ପାରି ନାହିଁ। ତେଣୁ ଏହି ରାସ୍ତାରେ ଯାତାୟତ ସ୍ବାଭାବିକ ହେବା ପାଇଁ ବେଶ କିଛି ଦିନ ଲାଗିଯିବ ବୋଲି ସ୍ଥାନୀୟ ଲୋକେ ଆଶଂକା ବ୍ୟକ୍ତ କରିଛନ୍ତି।

ଗୁରୁବାର ରାସ୍ତା ଧସିବା ପରଠାରୁ ସମ୍ବଲପୁର-ସୋନପୁର ମଧ୍ୟରେ ‌ସିଧାସଳଖ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ ୧୪ ତାରିଖ ଦିନ ଏହି କାମ ପାଇଁ ବିସ୍ଫୋରଣ ବେଳେ ବିରାଟକାୟ ପଥର ଖଣ୍ଡ ସବୁ ଫାଟି ଉପରକୁ ଉଡ଼ିଥିଲା ଓ ରାସ୍ତା କଡ଼ରେ ତଥା ଲୋକଙ୍କ ଘରେ ପଡ଼ିଥିଲା। ସ୍ଥାନୀୟ ଲୋକେ ସେ ଦିନୁ ଆତଙ୍କିତ ଅବସ୍ଥାରେ ଥିଲେ। ଏବେ ରାସ୍ତା ଧସିଯିବା ପରେ ସେମାନଙ୍କ ଦୁଃଖ ଦ୍ବିଗୁଣିତ ହୋଇଛି। ସେମାନଙ୍କ ଯାତାୟତ ବି ଏକପ୍ରକାର ବନ୍ଦ ହୋଇ ଯାଇଛି। ତେଣୁ ପ୍ରଶାସନ ଏହି ସ୍ବେରେଜ୍ ସମସ୍ୟାର ତୁରନ୍ତ ସମାଧାନ କରୁ ବୋଲି ଲୋକେ ଦାବି କରିଛନ୍ତି। ଏ ସଂପର୍କରେ ସ୍ବେରେଜ୍ ପ୍ରକଳ୍ପ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ କହିଛନ୍ତି ଯେ ଏହି ରାସ୍ତା ଧସିବା ନିଶ୍ଚିତ ଚିନ୍ତାର ବିଷୟ। ପୂର୍ବରୁ ରାସ୍ତା ତିଆରି ବେଳେ ହାଲକା ମାଟି ମିଶା ଫିଲିଂ କରା ଯାଇଥିବାରୁ ବିସ୍ଫୋରଣ ଯୋଗୁଁ ସାମାନ୍ୟ ହଲ୍‌ଚଲ୍‌ ହେଲେ ଉପର ଭାଗ ଖସି ପଡ଼ୁଛି। ବର୍ତ୍ତମାନ ଯାତାୟତ ବିପଜ୍ଜନକ ହୋଇଥିବାରୁ ଯାନବାହନ ବନ୍ଦ କରାଯାଇଛି। ଗୁରୁବାର ରାତି ସାରା କାମ କରି ଭିତରୁ ସବୁ ମାଟି କଢ଼ାଯିବ। ଏହାପରେ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ ଗଭୀରତାରେ ଖୋଳା ସରିଥିବା ସେ ପର୍ଯ୍ୟନ୍ତ ୨-୩ଟି ପାଇପ୍‌ ପକାଇ ଫିଲିଂ କରାଯିବ। ଏହାପରେ ଯାଇ ଯାତାୟତ ସ୍ବାଭାବିକ ହୋଇପାରିବ। ସପ୍ତାହେ ଭିତରେ ଏହା କରିବାକୁ ଠିକା ସଂସ୍ଥାକୁ କହାଯାଇଛି ବୋଲି ସୂଚନା ଦେବା ସହ ଶ୍ରୀ ଖଣ୍ଡୁଆଳ ଏଥି ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଛନ୍ତି।

 

The post ଧସିଗଲା ୧୫ ନମ୍ବର ରାଜ୍ୟ ରାଜପଥ, ସମ୍ବଲପୁର-ସୋନପୁର ଯୋଗାଯୋଗ ବାଧାପ୍ରାପ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3ctLdJw