
ଭୁବନେଶ୍ବର: ବାତ୍ୟା ସମୟରେ ଯେପରି ସାମୁଦ୍ରିକ ଜୁଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପଶିବନି ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ଉପକୂଳରେ ଥିବା ଲୁଣା ବନ୍ଧଗୁଡ଼ିକୁ ଜାତୀୟ ବାତ୍ୟା ବିପଦ ହ୍ରାସ ପ୍ରକଳ୍ପ (ଏନ୍ସିଆର୍ପି)ଙ୍କ ଗାଇଡଲାଇନ୍ ଅନୁଯାୟୀ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ୧୬୩୬କିମିର ଲୁଣା ବନ୍ଧ ଥିଲେ ହେଁ ତିନିଟି କ୍ୟାଟେଗୋରିରେ ଥିବା ୪୧୫.୯୧କିମିର ବନ୍ଧର ସୁଦୃଢୀକରଣ କାମ ଅଗ୍ରାଧିକାର ଭିତ୍ତିରେ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୧୧୮୫.୬୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାରମ୍ଭିକ ଆକଳନ ହୋଇଛି। ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ବାତ୍ୟାପ୍ରବଣ ଓଡ଼ିଶାର ସମସ୍ତ ଲୁଣା ବନ୍ଧକୁ ୮ମିଟର ଉଚ୍ଚତା ବିଶିଷ୍ଟ କରାଯିବ। ଯେପରି ୨୫୦କିମି ବେଗରେ ବାତ୍ୟା ପବନ ବହିଲେ ସମୁଦ୍ର ଜୁଆର ବି ଜବନସତିକୁ ଆସିବନି ସେହିଭଳି ବନ୍ଧ ନିର୍ମାଣ କରିବାକୁ କୁହାଯାଇଛି। ୟଶ୍ ବାତ୍ୟା ସମୟରେ ୮ମିଟରର ସାମୁଦ୍ରିକ ଜୁଆର ଉଠିବ ବୋଲି କୁହାଯାଇଥିବାବେଳେ ୫.୩ମିଟରର ଜୁଆର ଉଠିଥିଲା। ଆଗକୁ ଏହାଠାରୁ ବଡ଼ ବାତ୍ୟା ଆସିଲେ ଅଧିକ ଉଚ୍ଚରେ ପାଣି ଉଠିପାରେ। ତେଣୁ ରାଜ୍ୟର ସମସ୍ତ ଲୁଣାବନ୍ଧକୁ ୮ମିଟର ଉଚ୍ଚା କରିବାକୁ ନିଷ୍ପତ୍ତି ହୋଇଛି।
ଏହି ଲୁଣାବନ୍ଧ ସୁଦୃଢୀକରଣ ପାଇଁ ବୈଷୟିକ ସହାୟତା ନିମନ୍ତେ ଜଳସମ୍ପଦ ବିଭାଗ ପକ୍ଷରୁ ଏନ୍ଆଇଓଟି ଚେନ୍ନାଇ, କିମ୍ବା ଆଇଆଇଟି ମାଡ୍ରାସ କିମ୍ବା ଆଇଏନ୍ସିଓଆଇଏସ୍ ହାଇଦ୍ରାବାଦ ସହ ଏମ୍ଓୟୁ ସ୍ବାକ୍ଷର କରିବାକୁ କୁହାଯାଇଛି। ଲୁଣାବନ୍ଧ ସୁଦୃଢୀକରଣ କାମ ପାଇଁ ଡିଜାଇନ୍, ଡ୍ରଇଁ ଆଦି ୪ରୁ ୬ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ କୁହାଯାଇଛି। ଖର୍ଚ୍ଚ ଆକଳନର ୧୫ରୁ ୨୦% ଆସନ୍ତା ବର୍ଷ ବଜେଟ୍ରେ ବ୍ୟବସ୍ଥା ହେବ। ଏଥିରେ ଟେଣ୍ଡର ପ୍ରକ୍ରିୟା କରି କାମ ଆରମ୍ଭ କରିବାକୁ କୁହାଯାଇଛି। ଏହାପରେ ନାବାର୍ଡ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ଉପକୂଳ ବିପର୍ଯ୍ୟୟ ହ୍ରାସ ପାଣ୍ଠିରୁ ଅର୍ଥ ମିଳିଲେ ଦିଆଯିବ ବୋଲି କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ବାତ୍ୟା ୟସ୍ରେ କ୍ଷତିଗ୍ରସ୍ତ ହୋଇଥିବା ଅତ୍ୟନ୍ତ ସମ୍ବେଦନଶୀଳ ୧୯୮.୭୧କିମିର ଲୁଣାବନ୍ଧ ସୁଦୃଢୀକରଣ କାମ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ସଚିବ କହିଛନ୍ତି। ଏହାକୁ କ୍ୟାଟେଗୋରି-୧ରେ ରଖାଯାଇଛି। ଏଥିପାଇଁ ୭୬୩.୪୯କୋଟି ଖର୍ଚ୍ଚ ହେବ। ସେହିପରି କ୍ୟାଟେଗୋରି-୨ରେ ଅଧିକ କ୍ଷୟକ୍ଷତି ହୋଇଥିବା ୧୫୩.୭୯ କିମିର ବନ୍ଧ ପାଇଁ ୧୫୯.୪୯କୋଟି ଏବଂ କ୍ୟାଟେଗୋରି-୩ରେ ପ୍ରଭାବିତ ୬୩.୪୧କିମିର ଲୁଣାବନ୍ଧ ପାଇଁ ୨୬୨.୬୬ କୋଟିର ଖର୍ଚ୍ଚ ଆକଳନ ହୋଇଛି। ହେଲେ ଏଥିପାଇଁ ରାଜ୍ୟ ସରକାର ଜମି କିଣିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଯେଉଁଠି ଲୋକମାନେ ଏହି କାମ ପାଇଁ ଜମି ଦାନ ସୂତ୍ରରେ ଦେବେ ସେଠାରେ କାମ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
The post ୨୫୦କିମିର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି: ୪୧୬କିମିର ଲୁଣା ବନ୍ଧ ସୁଦୃଢୀକରଣ ପାଇଁ ଖର୍ଚ୍ଚ ହେବ ୧୧୮୬କୋଟି first appeared on Sambad.from ଜିଲ୍ଲା | Sambad https://ift.tt/3nkFlss
0 Comments