ଭୁବନେଶ୍ବର: ୫-ଟି ଅଧୀନରେ ଚାଲିଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ଦିବସରେ ଆଜି ୫ଟି ଜିଲ୍ଲାର ୧୩୦ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଯେଉଁଥିରେ ନୂଆପଡ଼ାର ୭ଟି ବିଦ୍ୟାଳୟ ଥିବା ବେଳେ ଗଞ୍ଜାମର ୮୩, ସମ୍ବଲପୁରର ୨୫, ନୟାଗଡ଼ର ୮ ଓ ରାୟଗଡ଼ାର ୭ଟି ରହିଛି। ଏହାକୁ ମିଶାଇ ଆଜି ସୁଦ୍ଧା ମୋଟ ୫୩୧ଟି ରୂପାନ୍ତରିତ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ପିଲାଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଉତ୍କର୍ଷ ପାଇଁ ପ୍ରତିଯୋଗୀ ମନୋଭାବ ନିତାନ୍ତ ଜରୁରୀ। ରୂପାନ୍ତର ପରେ ସ୍କୁଲର ପରିବେଶ ପିଲାଙ୍କ ଭିତରେ ପ୍ରତିଯୋଗୀ ମନୋଭାବକୁ ଅଧିକ ସୁଦୃଢ଼ କରିଛି। ସ୍କୁଲ ସମୟ ପିଲାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ। ତେଣୁ ଏହି ସମୟରେ ପିଲାଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ। ପିଲାମାନେ ପାଠ ସହ କ୍ରୀଡ଼ା, ସଙ୍ଗୀତ ଆଦି କ୍ଷେତ୍ରରେ ଆଗକୁ ବଢ଼ନ୍ତୁ। ଓଡିଶାର ଗୌରବ ବଢ଼ାନ୍ତୁ। ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ। ବଡ଼ ସ୍ବପ୍ନ ଦେଖି ଜୀବନର ସବୁ ଆହ୍ବାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢ଼ନ୍ତୁ। ଏହା ହିଁ ସ୍କୁଲ ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ। ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ନୂଆ ଯୁଗର ସମ୍ପୂର୍ଣ୍ଣ ସୁଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।

ଅଭିଜ୍ଞତା ବାଣ୍ଟିଲେ ସରକାରୀ ସ୍କୁଲରେ ପଢ଼ିଥିବା ଆଇଏଏସ୍‌
୫ ଜିଲ୍ଲାର ୧୩୦ ସ୍କୁଲ ଲୋକାର୍ପିତ

ଏହି ଅବସରରେ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସମ୍ପର୍କରେ ନିଜ ମନ କଥା କହିଥିଲେ। ଛାତ୍ରୀ ଭାରତୀ ସାହୁ, ସୌମ୍ୟାଶ୍ରୀ ବଡ଼ପଣ୍ଡା, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ସ୍ମରଣିକା ପଟ୍ଟନାୟକ, ସରସ୍ବତୀ ସାହୁ ପ୍ରମୁଖ କହିଥିଲେ ଯେ ସ୍କୁଲ ରୂପାନ୍ତର ଆମ ପାଇଁ ସୁଯୋଗ ଆଣିଛି। ତାହାର ସଦ୍‌ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ କରିବୁ। କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ସାରକା, ସରକାରୀ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ରାଜେନ୍ଦ୍ର ଢୋଲକିଆ, ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା ପୋଷଣ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ଧାରିତ ସମୟ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସରକାରୀ ସ୍କୁଲରୁ ପାଠପଢ଼ି ସର୍ବଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ରେ ଯୋଗ ଦେଇଥିବା ଉତ୍ତରାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ବତନ୍ତ୍ର ନିର୍ଦେଶକ ଅରବିନ୍ଦ ଡାକୁଆ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଷ୍ଠା ଓ ପରିଶ୍ରମ ଦ୍ବାରା ସବୁ କିଛି ହାସଲ କରିପାରିବା ବୋଲି ମତପ୍ରକାଶ କରିଥିଲେ। ‘ମୋ ସ୍କୁଲ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

The post ଉତ୍କର୍ଷ ପାଇଁ ପ୍ରତିଯୋଗୀ ମନୋଭାବ ଜରୁରୀ: ମୁଖ୍ୟମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/30x8FmE