ଜୟପୁର: ଦାଉ ସାଧିଲା ଲଘୁଚାପ ବର୍ଷା। ଲଘୁଚାପ ବର୍ଷାରେ ଭିଜିଲା ପାଚିଲା ଧାନ। ଜମିରେ କଟା ହୋଇ ପଡିଥିବା ଧାନ ଜମିରେ ପଡ଼ି ରହିଛି। ଧୀରେଧୀରେ ବର୍ଷା ପାଣି ବି ଜମିରେ ଜମିବାରେ ଲାଗିଛି। ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୁନ୍ଦ୍ରା, କୋଟପାଡ଼ ବ୍ଲକର ଶହେ ହେକ୍ଟର ଚାଷ ଜମିରେ ଧାନ କଟା ସରିବା ସହ ଜମିରେ ଧାନ ପଢ଼ି ରହିଛି। ପାଚିଲା ଧାନ ଗଜା ହୋଇଯିବାର ଆଶଙ୍କା ଥିବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ପୁଣି ଆସନ୍ତା ୧୯ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ହେବ ବୋଲି ଘୋଷଣା କରିଛନ୍ତି।

ସେହିଭଳି ସାରା ଉପଖଣ୍ଡରେ ଖରିଫ ଋତୁରେ ଧାନ କାଟିବା ପାଇଁ ଯୋଗ୍ୟ ହୋଇଥିବାବେଳେ ଝିପିଝିପି ବର୍ଷା ଯୋଗୁଁ ଜମିରେ ଧାନ କାଟିପାରୁ ନାହାଁନ୍ତି। ପାଚି ଯାଇଥିବା ଧାନ କେଣ୍ଡା ଗୁଡିକ ଝଢ଼ିବାରେ ଲାଗିଲାଣି। ଜିଲ୍ଲାର ୮୦ ପ୍ରତିଶତ ଧାନ ଚାଷ ଜୟପୁର ଉପଖଣ୍ଡରେ ହେଉଛି। ଏଭଳି ଝିପିଝିପି ବର୍ଷା କିଛିଦିନ ଲାଗି ରହିଲେ ଜମିରୁ ଧାନ କାଟିବା ମୁସ୍କିଲ ହେବ ବୋଲି କହିଛନ୍ତି ଚାଷୀ ସୁରେନ୍ଦ୍ର ରାଉତ, ସୁବାସ ଗୌଡ, ତ୍ରିନାଥ ପୁଜାରୀ। ଏଭଳି ବର୍ଷାରେ ଧାନ ଭିଜିଲେ ଆଗାମୀ ମଣ୍ଡିରେ ଧାନ କିଭଳି ବିକ୍ରି କରିବେ ସେ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

The post ଦାଉ ସାଧିଲା ଲଘୁଚାପ ବର୍ଷା: ଜମିରେ ଭିଜୁଛି ପାଚିଲା ଧାନ, ମୁଣ୍ଡରେ ହାତଦେଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3Dgx2DF