ନିରାକାରପୁର: ଚଳିତ ବର୍ଷ ପ୍ରାରମ୍ଭରୁ ମୈାସୁମୀର ଲୁଚକାଳି ଖେଳ ଯୋଗୁଁ ଧାନଚାଷ କାର୍ଯ୍ୟ ବ୍ୟାହତ ହୋଇଥିଲା। କ୍ରମେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚଳିପକଲା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରିକି ଟାଙ୍ଗୀ ବ୍ଲକ ଅଞ୍ଚଳରେ ଗଣେଶ ପୂଜା ପରେ ମଧ୍ୟ ରୁଆ କାର୍ଯ୍ୟ ସରି ନଥିଲା। ସେହି ଅନୁପାତରେ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପଛେଇ ଯାଇଥିଲା। ଏବେ ପଛୁଆ ବୁଣାଯାଇଥିବା ଧାନଜମିରେ କେତେକ ସ୍ଥାନରେ ଧାନ ଗର୍ଭ ଅବସ୍ଥାରେ ଥିବାବେଳେ ଆଉ କେତେକ ଢିପ ଜମିରେ ଗୋଟିଏ ଗୋଟିଏ ଧାନ ବାହାରୁଛି।

ଏଭଳି ସମୟରେ ବର୍ଷା ନ ହେବାରୁ ଧାନ ଜମି ଫାଟିବାକୁ ବସିଛି। ତେଣୁ ବାଧ୍ୟବାଧକତାରେ ଚାଷୀମାନେ ଭଡାସୂତ୍ରରେ ଘଣ୍ଟାକୁ ୨୫୦ ଟଙ୍କା ଦେଇ ବର୍ଷିକ ଦାନା ଯୋଗାଡ ଲକ୍ଷରେ ଲାଗି ପଡିଛନ୍ତି। ପରିତାପର ବିଷୟ ଗତ ଅଗଷ୍ଟ ମାସରେ ବିଭାଗୀୟ ଅପାରଗତା ଯୋଗୁ ରାମେଶ୍ବରସ୍ଥିତ ବ୍ୟାରେଜର ୩ଟି ଗେଟ୍ ଭାଙ୍ଗିପଡିଥିବାରୁ ତାହା ଅଦ୍ୟାବଧି ମରାମତି ହୋଇ ପାରିନାହିଁ। ମଲାଗୁଣୀ ନଦୀଟି ଏବେ ଏକପ୍ରକାର ଶୁଖିଲା ପଡିଛି। ଫଳରେ ଅନୁରୂପ ଭାବେ ମଧ୍ୟ କେନାଲରେ ଆବଶ୍ୟକ ଜଳ ପ୍ରବହିତ ହେଉ ନାହିଁ। ଏହାକୁ ନେଇ ସ୍ଥାନୀୟ ଚାଷୀକୁଳ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟହୋଇ କ୍ଷେତକୁ ବଞ୍ଚାଇବାକୁ ଯାଇ କେତେକ ଚାଷୀ ଅଯଥା ଖର୍ଚାନ୍ତ ହୋଇ ନିକଟସ୍ଥ ବିଭିନ୍ନ ଜଳାଶୟରୁ ବିଲକୁ ପାଣି ମଡାଉଛନ୍ତି।

The post ଚାଷ ଜମିକୁ ଉଠି ପାରୁନି ପାଣି, ଶୁଖିଲା ପଡ଼ିଛି ମଲାଗୁଣୀ ନଦୀ first appeared on Sambad.

from ଜିଲ୍ଲା | Sambad https://ift.tt/3mIQfYI