
ଯାଜପୁର/କୁହିକା : ଚାଷ ଓ ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଶହ ଶହ କୋଟି ଟଙ୍କା ପାଣି ଭଳି ବ୍ୟୟ କରି ଚାଲିଛନ୍ତି। ମାତ୍ର ତୃଣମୂଳରେ ଠିକ ବିନିଯୋଗ ହେଉ ନଥିବାରୁ ଅସାଧୁମେଣ୍ଟ ଚାଷୀଙ୍କ ନାମରେ ଫାଇଦା ନେଉଛନ୍ତି। ସରକାରୀ ଯୋଜନା ଅଧାରେ ଅଣ୍ଠେଇଛି। ଯାହାର ନମୁନା ଯାଜପୁର ଜିଲ୍ଲା ଉଦ୍ୟାନ ବିଭାଗରେ ଦେଖିବାକୁ ମିଳିଛି।
ଛତୁ ଚାଷର ବିକାଶ ପାଇଁ ଓମବାଡ଼ସିରୁ ପ୍ରତି ଚାଷୀଙ୍କୁ ୧ଲକ୍ଷ ୯୯ହଜାର ଟଙ୍କାର ସହାୟତା ଯୋଗାଣ ହେଉଥିବାର ଦର୍ଶାଯାଇ ଠିକାଦାର ଏହାର ଫାଇଦା ନେଇ ଅଧା ଅର୍ଥ ହରିଲୁଟ କରିଥିବା ଚାଞ୍ଚଲ୍ୟକର ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ ହାତରେ ଲାଗିଛି। ୬୦ ଲକ୍ଷରୁ ଅଧିକ ଟଙ୍କା ସୁକିନ୍ଦା ଓ ଦାନଗଦୀ ବ୍ଲକ୍ ରେ ଚଳିତ ବର୍ଷ ଠିକାଦାର ଛତୁଚାଷୀଙ୍କ ନାମରେ ହଡ଼ପ କରିଛି ବୋଲି ଚାଷୀ ଅଭିଯୋଗ କହିଛନ୍ତି।
ଓମବାଡ଼ସିରୁ ସୁକିନ୍ଦା ଓ ଦାନଗଦୀ ବ୍ଲକ୍ ରେ ମୋଟ ୫୭ଜଣ ଚାଷୀଙ୍କୁ ଛତୁ ଚାଷ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିବାର କାଗଜପତ୍ରରେ ଦର୍ଶାଯାଇଛି। ପ୍ରତ୍ୟେକ ଚାଷୀଙ୍କ ନାମରେ ୧ଲକ୍ଷ ୯୯ହଜାର ଟଙ୍କା ହିସାବରେ ମୋଟ ୧କୋଟି ୧୩ଲକ୍ଷ ୪୩ହଜାର ଟଙ୍କା ଚାଷୀଙ୍କ ନାମରେ ବ୍ୟୟ ହୋଇଛି। ମାତ୍ର ଏହି ଅର୍ଥ ଜଣେ ଠିକାଦାର ହାତେଇଛି। ଚାଷୀଙ୍କ ଖାତାକୁ ଅନୁଦାନ ଦିଆ ନଯାଇ ଚାଷୀଙ୍କ ଦସ୍ତଖତରେ କୁଆଖିଆର ଜଣେ ଠିକାଦାର ଏହି ଅର୍ଥ ଉଠାଇଛନ୍ତି। ଏପରିକି ପ୍ରତି ଛତୁ ଚାଷା ପାଇଁ ଆବଶ୍ୟକ ଘର ଓ ଅନ୍ୟାନ୍ୟ ସୁବିଧା ପାଇଁ ଠିକାଦାର ସର୍ବମୋଟ ୮୭ ହଜାରରୁ ଲକ୍ଷେ ମଧ୍ୟରେ ବ୍ୟୟ କରି ପ୍ରତି ଚାଷୀଙ୍କ ନାମରେ ୧ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଫଳରେ ସରକାରଙ୍କ ଏହି ମହତ ଯୋଜନାର ସୁଫଳ ଚାଷୀ ପାଇବା ପରିବର୍ତ୍ତେ ଜଣେ ଠିକାଦାର ହାସଲ କରିଛନ୍ତି। ସରକାରୀ ନିୟମ ମୁତାବକ ଏହି ଅନୁଦାନ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବାର ନିୟମ ରହିଛି। ସେପରି କରା ନଯାଇ ଠିକାଦାର ମାଧ୍ୟମରେ ଏହି ଛତୁ ଚାଷ କେଳେଙ୍କାରୀ କରାଯାଇଛି।
ଘଟଣା ସମ୍ପର୍କରେ ଏଡ଼ିଏଚ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି ଜିଲ୍ଲାପାଳଙ୍କ ଅନୁମତି ନେଇ ଏହି ଯୋଜନାକୁ ତୁରନ୍ତ ଶେଷ କରିବାକୁ ଠିକାଦାର ଦ୍ବାରା କରାଯାଇଛି। ତେବେ ଦୁର୍ନୀତି କଥା ତାଙ୍କ ନଜରକୁ ଆସି ନଥିଲା। ସମୀକ୍ଷା କରି ଦେଖିବେ ବୋଲି କହିଛନ୍ତି। ସରକାରୀ ନିୟମକୁ ମାଡ଼ିମକଚି ଚାଷୀଙ୍କ ଅନୁଦାନ ଠିକାଦାର କିପରି ହାତେଇଲେ? ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଚାଷୀଙ୍କ ନାମରେ ଠିକାଦାର ରାଜ ବ୍ୟବସ୍ଥା ଉଦ୍ୟାନ ବିଭାଗର ମୂଳଲକ୍ଷ୍ୟ ଚାଷୀ ବିକାଶ ବଦଳରେ ମାରଣନୀତି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
The post ଛତୁଚାଷୀଙ୍କ ନାମରେ ୬୦ଲକ୍ଷ ଟଙ୍କା ହଡ଼ପ: ଠିକାଦାର ମାଲାମାଲ, ଚାଷୀ ହତାଶ first appeared on Sambad.from ଜିଲ୍ଲା | Sambad https://ift.tt/3CB1yYr
0 Comments