ଭବାନୀପାଟଣା : ମମିତା ମେହେରଙ୍କୁ ଗତ ଅକ୍ଟୋବର ୮ ତାରିଖରେ ହତ୍ୟା କରାଯାଇଥିଲା। ଆଜି ଠିକ୍‌ ମାସେ ପରେ ନଭେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ଥାନୀୟ ଓୟୁଏଟି ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉଭୟ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଥିବାରୁ ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ସୋମବାର ସକାଳେ ଭୁବନେଶ୍ବରଠାରୁ ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ। ସେଠାରୁ ହେଲିକପ୍ଟର ଯୋଗେ ଭବାନୀପାଟଣା ଓୟୁଏଟି ପରିସରକୁ ଯିବେ। ସକାଳ ୧୧ଟାରେ ଓୟୁଏଟି ଅଡିଟୋରିୟମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ୩୦ ଜଣ ସାମ୍ବାଦିକଙ୍କ କୋଭିଡ୍‌ ପରୀକ୍ଷା ପରେ ପାସ୍‌ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ୧୧ଟା ୫୦ ପର୍ଯ୍ୟନ୍ତ ଚାଲିବ। ସେଠାରୁ ମୁଖ୍ୟମନ୍ତ୍ରୀ ଉତକେଲାଯାଇ ବିମାନ ଯୋଗେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ବିରୋଧୀ ଦଳର ବିରୋଧ ଯୋଗୁଁ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଗୁପ୍ତ ରଖାଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ରହିବେ କି ନାହିଁ, ସେ ନେଇ ଦଳ ବା ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ବରଂ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେପଟେ ଓୟୁଏଟି ପରିସରରେ ଆଉ ଏକ ମଞ୍ଚ ନିର୍ମାଣ ହେଉଛି, ଯେଉଁଠି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି ମିଶ୍ରଣ ପର୍ବରେ କଂଗ୍ରେସର ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଜେଡିରୁ ଇସ୍ତଫା ଦେଇଥିବା ନେତା ସାରଦା ପ୍ରସନ୍ନ ସ୍ବାଇଁ, ନର୍ଲା ବ୍ଲକ୍‌ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ୍‌ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଆଇନଜୀବୀ ଧର୍ମେନ୍ଦ୍ର ନାୟକ ସମେତ ୧୪ ଜଣଙ୍କୁ ବିଜେଡିରେ ସାମିଲ କରିବା ପାଇଁ ତାଲିକା ଚୂଡ଼ାନ୍ତ କରାଯାଇଛି। ଏଠାରେ ଶ୍ରୀ ମିଶ୍ର ରହିବେ ବୋଲି କର୍ମୀ ମହଲ ଚର୍ଚ୍ଚା କରୁଛନ୍ତି।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୨ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଛି।

The post ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3o6GbIp