
୨ମିନିଟ ନିରବ ପ୍ରାର୍ଥନା; ଜନତା କର୍ଫ୍ୟୁ ପାଇଁ ଭକ୍ତଙ୍କ ଅପିଲ୍
ମହାଲିଙ୍ଗରେ ସାଂସଦ ବସନ୍ତ ପଣ୍ଡା ହଟହଟା ହେଲେ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ଜିଲ୍ଲା ରାଜନୀତି ଉଠୁଛି ପଡ଼ୁଛି। ଉଭୟ କଂଗ୍ରେସ ଓ ବିଜେପି ଆକ୍ରମଣାତ୍ମକ ସ୍ଥିତିରେ ଥିବା ଯୋଗୁଁ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏ ମଧ୍ୟରେ ରବିବାର ଜୁନାଗଡ଼ଠାରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେବା ଲାଗି ଗୋଟିଏ ଗାଡ଼ିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯିବା ବେଳେ କଲେଜ ଛକ ନିକଟରେ ବିଜେପି ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। କଳାପତାକା ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ବବି ଦାସ ଗୋବ୍ୟାକ୍ ସ୍ଲୋଗାନ ଦେଇଥିଲେ ବିଜେପି କର୍ମକର୍ତ୍ତା। ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉଭୟ ବିଜେପି ଓ ବିଜେଡି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଭଳି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଜୁନାଗଡ଼ର ମଥୁରା ଠାରୁ ମିଶ୍ରଣ ସଭାସ୍ଥଳ ପର୍ଯ୍ୟନ୍ତ ବିଜେଡିର ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନିଜ ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବାରମ୍ବାର ହଟହଟା ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।
କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ଜିଲ୍ଲାବ୍ୟାପୀ ରବିବାର ସକାଳ ୧୧ଟାରେ ମୃତ ମମିତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଭବାନୀପାଟଣା ସହରରେ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ, ଛାତ୍ର କଂଗ୍ରେସ ପ୍ରଭାରୀ ବିଭୂତି ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀଙ୍କ ନେତୃତ୍ବରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ, ପଲିଟେକ୍ନିକାଲ କଲେଜ, ସରକାରୀ ଆଇଟିଆଇ ଠାରେ ଛାତ୍ରଛାତ୍ରୀ ନିରବ ପ୍ରାର୍ଥନା କରିଥିଲେ। କୋକସରା ବ୍ଲକ୍ ଅନ୍ତର୍ଗତ ଆମପାଣି ବୁଢ଼ାରଜା ମନ୍ଦିରଠାରେ ଭକ୍ତ ଦାସ ନିରବ ପ୍ରାର୍ଥନା କରିଥିଲେ। ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ଭକ୍ତ ଚରଣ ଦାସ ଜୁନାଗଡ଼ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଲାଗି ଆହ୍ବାନ ଦେଇଥିଲେ। ଜନତା କର୍ଫ୍ୟୁ ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଥିଲେ।
ସେପଟେ ରବିବାର ଦିନ ମହାଲିଙ୍ଗଠାରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ମମିତାଙ୍କ ପାଇଁ ନ୍ୟାୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ବେଳେ ମହାଲିଙ୍ଗ ଗ୍ରାମବାସୀ ସାଂସଦ ପଣ୍ଡାଙ୍କୁ ନିର୍ବାଚିତ ହେବା ପରେ ଏତେ ଦିନ କୁଆଡ଼େ ଥିଲ, ବର୍ତ୍ତମାନ ଆସୁଛ ବୋଲି ଆକ୍ଷେପ କରିଥିଲେ। ଏନେଇ କଥା କଟାକଟି ହେବା ପରେ ସାଂସଦ ହଟହଟା ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ଶୋଭାଯାତ୍ରା ଜୁନାଗଡ଼ଠାରେ ପହଞ୍ଚିଥିଲା।
The post ଉଠୁଛି ପଡ଼ୁଛି କଳାହାଣ୍ଡି, ଜୁନାଗଡ଼ରେ ଦିବ୍ୟଶଙ୍କର ଓ ବବି ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ first appeared on Sambad.from ଜିଲ୍ଲା | Sambad https://ift.tt/3mPzxa6
0 Comments