ବାଲେଶ୍ବର: ଫକୀରମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ବିଦ୍ୟାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ ପରିସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ସମାବେଶରେ ବିଶ୍ଵବିଦ୍ୟାଳୟର ୧୮ଟି ବିଭାଗରେ ଅଧ୍ୟୟନରତ ସ୍ନାତକୋତ୍ତର ଦ୍ଵିତୀୟ ପର୍ଯ୍ୟାୟର ୭୦୦ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ। ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଅତିଥି ପରିଚୟ ଦେଇଥିଲେ। ସବୁ ପରିସ୍ଥିତିରେ ସଂରଚନାତ୍ମକ ମନୋଭାବ ନେଇ କାର୍ଯ୍ୟ କଲେ ଜୀବନ ଗଠନ ଓ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ମତ ରଖିଥିଲେ। ବିଦ୍ୟାର୍ଥୀମାନେ ଶୃଙ୍ଖଳାଗତ ଆଚରଣକୁ ଗୁରୁତ୍ବ ଦେବା ଜରୁରୀ ବୋଲି କୁଳସଚିବ କୁକୁମିନା ଦାସ କହିଥିଲେ।

କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡ. ଭାସ୍କର ବେହେରା ବିଦ୍ୟାର୍ଥୀ ସମାବେଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରି ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ପ୍ରତ୍ୟେକ ବିଭାଗରୁ ବିଦ୍ୟାର୍ଥୀମାନେ ପ୍ରତିନିଧିତ୍ଵ କରି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କାଳରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଫେସର ସୁନୀଲ କୁମାର ମହାପାତ୍ର, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ପ୍ରମୁଖ ସମାବେଶର ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଗାନ୍ଧୀଜୟନ୍ତୀ ଅବସରରେ ଅନୁଷ୍ଠିତ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀ ରୁଗାରିକା ଜି. ଘର୍, ମନୀଷା ପଣ୍ଡା, ସମ୍ବିତ ଶୁଭଙ୍କର ସ୍ଵାଇଁ, ସୋମ୍ମା ମହାଜବିନ୍, ଶ୍ରଦ୍ଧାଞ୍ଜଳି ରାଉତ ଓ ଅପର୍ଣ୍ଣା କାର୍ଣ୍ଣିଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍କଳ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଅନୁସନ୍ଧାନ ସମ୍ମେଳନରେ ଅଂଶଗ୍ରହଣ କରି ପାରଦର୍ଶିତା ଲାଭ କରିଥିବା ଅଧ୍ୟାପକ, ଗବେଷକ ଓ ଗବେଷଣା କ୍ଷେତ୍ରରେ ସର୍ବାଧିକ ସାଇଟେସନ ଲାଭ କରିଥିବା ଅଧ୍ୟାପକମାନଙ୍କୁ ମଧ୍ୟ ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା। ଡ. ଶଦାବ ଆଲାମ୍ ଓ ଡ. ସ୍ମୃତି ପାଢୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

The post ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟରେ ବିଦ୍ୟାର୍ଥୀ ସମାବେଶ first appeared on Sambad.

from ଜିଲ୍ଲା | Sambad https://ift.tt/3covpYI