ରାୟଗଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଖାଇବା ତେଲଠୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ, ବିଜୁଳି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ୍ ଆଦମୀ ପାର୍ଟି। ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ରାୟଗଡ଼ାରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ତୁରନ୍ତ ଉଭୟ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବାଣିଜ୍ୟକ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ଟିକସ ହ୍ରାସ କରି ପୂର୍ବବସ୍ଥାକୁ ଫେରାଇ ଆଣିବା, ୨୦୦ ୟୁନିଟ୍ ମାଗଣା ବିଜୁଳି ରାଜ୍ୟ ସରକାର ଯୋଗାଇବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅତିରିକ୍ତ ଖାଦ୍ୟ ଅନ୍ନ ବଣ୍ଟନ ବନ୍ଦ କରିବାରୁ କେନ୍ଦ୍ର ସରକାର କ୍ଷାନ୍ତ ରୁହନ୍ତ ଏବଂ ରାଜ୍ୟ ସରକାର ଏହି ସୁବିଧାକୁ ଚାଲୁ ରଖିବା, ଆଳୁ, ପିଆଜ, ପନିପରିବା ଦର ନିୟନ୍ତ୍ରଣ, ଅତ୍ୟାବଶ୍ୟକୀୟ ଜିନିଷର କଳା ବଜାରୀ ରୋକିବା, ଗଚ୍ଛିତ ରଖିଥିବା ପ୍ରତିଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଖରିଫ ଋତୁରେ ସାରର ଅଭାବୀ ସମସ୍ୟାକୁ ଦୂର କରିବା, ମନରେଗାରେ କର୍ମ ନିଯୁକ୍ତି ଏବଂ ଠିକ୍ ସମୟରେ ମଜୁରୀ ପ୍ରଦାନ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ସେଲ ଗଠନ କରିବାକୁ ଆପ୍ ଦାବି କରିଛି।

ଦଳର ରାଜ୍ୟ ସଂପାଦକ ତଥା ମୁଖପାତ୍ର ଏବଂ ରାୟଗଡ଼ା ଜିଲ୍ଲା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ସଭାନେତ୍ରୀ ସୁଚିତ୍ରା ପାଇକ, ବିଷ୍ଣୁପ୍ରିୟା ଝୋଡିଆ, ମଧୁସ୍ମିତା ପାଇକ, ସୁବାଷିନୀ ପାଇକ, ଲାବଣ୍ୟ ଝୋଡିଆ, ଉମାଚରଣ ଗୌଡ଼ଙ୍କ ସମେତ ବହୁ କର୍ମୀ ବିକ୍ଷୋଭରେ ଉପସ୍ଥିତ ରହି ରାଜପଥରେ କାଠଚୁଲିରେ ଚା’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

The post ବେଲଗାମ୍ ଦରଦାମ, ଆପ୍ ପକ୍ଷରୁ ବିକ୍ଷୋଭ: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ first appeared on Sambad.

from ଜିଲ୍ଲା | Sambad https://ift.tt/3ohb2Cf