ବ୍ରହ୍ମବରଦା : ଦୁଇଦିନ ମଧ୍ୟରେ ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୩ ଦୋକାନ ଓ ୩ ଘର ଜଳିଯାଇଛି। ଦୀପାବଳି ପାଳନ ସମୟରେ ଗତକାଲି ଦୁଇଟି ସ୍ଥାନରେ ଅଗ୍ନିକାଣ୍ତ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ଦିନ ଆଉ ଏକ ସ୍ଥାନରେ ଅଗ୍ନିକାଣ୍ତ ଘଟି ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। ବାଙ୍କସାହି ରାଜସ୍ବ ବିଭାଗ ଅଧୀନ କୋଠିଡିହ ଗ୍ରାମ ଦଳିତ ସାହି ୧୪ ନମ୍ବର ୱାର୍ଡର ତପନ ମଲ୍ଲିକଙ୍କ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ତାଙ୍କ ଗୁହାଳରେ ଥିବା ଏକ ଗାଈର ଉପରଭାଗ ପୋଡ଼ି ଯାଇଛି। ଅନ୍ୟଏକ ଘରେ ଥିବା ସମସ୍ତ ଆସବାବ ସହିତ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ପରିବାର ଲୋକ କହିଛନ୍ତି।

ସେହିପରି ବରୀ ବ୍ଲକ ଗୋଳକୁଣ୍ତ ପଞ୍ଚାୟତ ମେଣ୍ତ ଗ୍ରାମରେ ରମେଶ ବେହେରାଙ୍କ ଦୁଇଟି ଦୋକାନ ଘର ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଦୁଇଟି ଦୋକାନରେ ନିଆଁ ଲାଗିଥିଲା। ଗୋଟିଏ ତେଜରାତି ଦୋକାନ ଓ ଅନ୍ୟଟି ପ୍ରସାଧନ ସାମଗ୍ରୀ ଦୋକାନ ସଂପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିକାଣ୍ତର କାରଣ ଜଣାପଡ଼ିନାହିଁ। ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଶୁକ୍ରବାର ମଧ୍ୟାହ୍ନରେ ସାମନ୍ତରାପୁର ରାଜସ୍ବ ବିଭାଗ ଅଧୀନ ଅର୍ଥଙ୍ଗା ପଞ୍ଚାୟତ ବଡ଼ଚଅପୋଇ ଗ୍ରାମର ନାରାୟଣ ଚନ୍ଦ୍ର ଦାସଙ୍କ ଦୋକାନଘର ସହିତ ଅନ୍ୟ ଏକ ବାସଗୃହ ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟରୁ ଦୋକାନରେ ନିଆଁ ଲାଗିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଘରେ ଥିବା ଆସବାବପତ୍ର ମଧ୍ୟ ଜଳିଯାଇଛି। ଖବର ପାଇ ରସୁଲପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

The post ଏକାଧିକ ସ୍ଥାନରେ ଅଗ୍ନିକାଣ୍ତ ଘଟି ୩ ଦୋକାନ ସମେତ ୩ ଘର ଜଳିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/31q8w4G