ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟମଳ ପ୍ରକାଶ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ବୁଧବାର ତାଙ୍କ ଶାନ୍ତି ନଗର ବାସଭବନରୁ ଉଦ୍ଧାର କରାଯାଇଛି। ସେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବ‌େ ସେ ଜଣେ ଶୃଙ୍ଖଳିତ, ମେଳାପି ଓ ଖୁସ୍‌ ମିଜାଜର ବ୍ୟକ୍ତି ଥିବାବେଳେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତା’ର କାରଣ ଖୋଜିବା କଷ୍ଟକର ହେଉଛି ବୋଲି ପୁଲିସ୍‌ କହିଛି।

ପୁଲିସ୍‌ ସୂଚନାନୁସାରେ କାର୍ତ୍ତିକ ମାସ ଯୋଗୁଁ ବୁଧବାର ଭୋର୍‌ରୁ ତାଙ୍କ ପତ୍ନୀ ମନ୍ଦିର ଯାଇଥିଲେ। ବଡ଼ ଝିଅ ଗାଁ’ ବୁରୋମୁଣ୍ଡାରେ ରହୁଥିବା ବେଳେ ଅନ୍ୟ ଦୁଇ ଝିଅ ବାପା-ମା’ଙ୍କ ସାଥୀରେ ରହୁଥିଲେ। ମନ୍ଦିରରୁ ଫେରି ପତ୍ନୀ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ, ଥାନାଧିକାରୀ ରାଜେନ୍ଦ୍ର ସିଅଲ ଘଟଣା ସ୍ଥଳ‌ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ କେସ୍‌ ନଂ. ୨୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ମରଶରୀର ପୈତୃକ ଗ୍ରାମ ବୁରୋମୁଣ୍ଡାକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ଏହି ଶବାଧାରରେ ଏସ୍‌ଡିପିଓ ଓ ଥାନାଧିକାରୀଙ୍କ ସମେତ ବରଗଡ଼ ଜିଲ୍ଲା‌ କନେଷ୍ଟବଳ ସଂଘ ସଭାପତି ସୁଶୀଳ ଦାଶ, ବିଭିନ୍ନ ଥାନାର କର୍ମଚାରୀ ଉପସ୍ଥିତ ଥିଲେ। ସାନ ଭାଇ ପ୍ରଭାତ ମୁଖାଗ୍ନି ଦେଇଥିଲେ।

The post ପୁଲିସ୍‌ କନେଷ୍ଟବଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3oVSEiL