
ଫୁଲବାଣୀ/ଦାରିଙ୍ଗବାଡ଼ି : କିଛିଦିନର ବ୍ୟବଧାନ ପରେ ପୁଣି କନ୍ଧମାଳକୁ ଫେରିଛି ଶୀତ। ପ୍ରାୟ ଦୁଇସପ୍ତାହ ହେଲା ଶୀତ ଏକପ୍ରକାର ଉଭାନ୍ ହୋଇଯାଇଥିଲା। କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ପାରଦ ରବିବାର ଦିନ ୯ ଡିଗ୍ରିକୁ ଖସିଛି। ଗତ ୪ ଦିନ ଭିତରେ ତାପମାତ୍ରା ୬.୫ ଡିଗ୍ରି ହ୍ରାସ ପାଇଛି।
ସାଧାରଣତଃ ଦାରିଙ୍ଗବାଡ଼ିକୁ ପ୍ରତିବର୍ଷ ଅକ୍ଟୋବର ମାସ ମଧ୍ୟଭାଗରେ ଶୀତର ଆଗମନ ହୋଇଥାଏ। ହେଲେ ଚଳିତବର୍ଷ ସାମାନ୍ୟ ବିଳମ୍ବ ଅର୍ଥାତ୍ ଅକ୍ଟୋବର ୨୩ ତାରିଖରେ ତାପମାତ୍ରା ୧୧ ଡିଗ୍ରି ସେଲସିୟସ୍କୁ ଖସି ଶୀତ ପାଦ ଥାପିଥିଲା। ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୯.୫ ଡିଗ୍ରି ସେଲସିୟସ୍ ରହିଥିଲା। ଫଳରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା। ହେଲେ ଲଘୁଚାପଜନିତ ବର୍ଷା ଓ ପାଗରେ ପରିବର୍ତ୍ତନ ଯୋଗୁଁ ପାଖାପାଖି ଦୁଇ ସପ୍ତାହ ଧରି ଶୀତ ଗାଏବ୍ ହୋଇଯାଇଥିଲା। ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ଥିଲା ବେଳେ ଆଜି ହଠାତ୍ ୪ ଡିଗ୍ରି ହ୍ରାସ ପାଇ ୯ ଡିଗ୍ରି ରେକର୍ଡ଼ କରାଯାଇଛି। ସେହିପରି ଗତକାଲି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍ ଥିବା ବେଳେ ଆଜି ୧.୫ ଡିଗ୍ରି ହ୍ରାସ ପାଇ ୧୩.୫ ଡିଗ୍ରିରେ ପହଞ୍ଚିଛି।
ଅନ୍ୟପକ୍ଷରେ ଜିଲ୍ଲାରେ ଗତ ୨୪ ଘଣ୍ଟା ଭିତରେ ତାପମାତ୍ରା ହ୍ରାସ ପାଇଥିବାରୁ ଶୀତର ପ୍ରକୋପ ବଢ଼ିଛି। ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ତେବେ ଦାରିଙ୍ଗବାଡ଼ିରେ ଶୀତ ବଢ଼ୁଥିବାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ସମସ୍ତ ହୋଟେଲ୍, କଟେଜ୍ ଓ ଡାକବଙ୍ଗଳା ଆଗୁଆ ବୁକିଂ ସରିଥିବାରୁ ଆଗକୁ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ହେବ ବୋଲି ଆକଳନ କରାଯାଇଛି।
The post କନ୍ଧମାଳକୁ ଶୀତ ଲେଉଟିଲା: ଦାରିଙ୍ଗବାଡ଼ିରେ ୯ଂକୁ ଖସିଲା ପାରଦ first appeared on Sambad.from ଜିଲ୍ଲା | Sambad https://ift.tt/3HV9YNr
0 Comments