ଦଶରଥପୁର : ଯାଜପୁର ଜିଲ୍ଲା ପୀରବନ୍ଧର ପୀରବାବା ସାଂପ୍ରଦାୟିକ ସଦ୍‌ଭାବର ଜ୍ବଳନ୍ତ ଉଦାହରଣ। ଯେଉଁଠି ମୁସଲମାନ ନମାଜପାଠ ଓ ଉପାସନା କରିଥାନ୍ତି, ସେଠାରେ ହିନ୍ଦୁମାନେ ମଧ୍ୟ ଭୋଗ ଲଗାଇଥାନ୍ତି। ଚାଦର ଚଢ଼ାଇଥାନ୍ତି। କାହିଁ କେଉଁ କାଳରୁ ଏକ ପୁରୁଣା ନିମ୍ବଗଛ ମୂଳରେ ପୀରବାବାଙ୍କ ଆସ୍ଥାନ ରହିଛି। ଉଭୟ ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ବାସର ଆଧାର ଏହି ସ୍ଥାନ। ଏଠାରେ ନମାଜ ପାଠ ହୁଏ। ପୁଣି ନିକଟରେ ଥିବା ମଣ୍ଡପରେ ସତ୍ୟନାରାୟଣ ପୂଜା, ପାଲା ହୋଇଥାଏ। ପ୍ରତି ଗୁରୁବାର ବାବାଙ୍କ ନିକଟରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭିଡ଼ ଲାଗିଥାଏ। ଶୁକ୍ରବାର ନମାଜ ପାଠ ହୋଇଥାଏ। ସଂଖ୍ୟାଲଘୁଙ୍କ ବିବାହ ସମୟରେ ବରଯାତ୍ରୀ ଗାଡ଼ି ପହଞ୍ଚି ପୀରଙ୍କ ଚାରିପାଖରେ ପରିକ୍ରମା କରିଥା’ନ୍ତି।

ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତ କଷବା ଗାଁମୁଣ୍ଡରେ ରହିଛି ପୀରବାବାଙ୍କ ଆସ୍ଥାନ। ଯାଜପୁରଠାରୁ କୟାଁଗୋଲା ମୁଖ୍ୟ ରାସ୍ତାରୁ ମଙ୍ଗଳପୁର-ବଡ଼କୁଆଁଲ ରାସ୍ତାରେ ପ୍ରାୟ ୧ କି.ମି ଗଲେ ପଡ଼ିବ ଏହି ସ୍ଥାନ। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଏଠାକୁ ଆସି ପୂଜା କରିଥା’ନ୍ତି। ଗୁରୁବାରଦିନ ବିଶେଷକରି କରାଣ୍ଡିପୁର, କାଟିଆ, ବିଞ୍ଝାରପୁରରୁ  ଶହଶହ ସଂଖ୍ୟାଲଘୁ ଭାଇଭଉଣୀ ଛୁଟିଆସନ୍ତି। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେମାନଙ୍କ ଯିବାଆସିବା ଲାଗିଥାଏ। ପୂର୍ବରୁ ସେଠାରେ ମାଟି ମଣ୍ଡପଟିଏ ଥିଲା। ପରେ କଷବା ଗ୍ରାମବାସୀଙ୍କ ସହଯୋଗରେ ପକ୍କା ପିଣ୍ଡିଟିଏ ନିର୍ମିତ ହୋଇଛି। ପିଣ୍ଡି ଚାରିପାଖରେ ପାଚେରି ନିର୍ମାଣ କରାଯାଇଛି। ପଞ୍ଚାୟତ ପକ୍ଷରୁ ପାଣିଟ୍ୟାପ୍‌ଟିଏ ଲଗାଯାଇଛି।

ପାଞ୍ଚ ଦଶନ୍ଧି ପୂର୍ବରୁ ଏଠାରେ ହିନ୍ଦୁମାନେ ସତ୍ୟନାରାୟଣ ପୂଜା ଓ ପାଲାସଂସ୍କୃତି ଆରମ୍ଭ କରିଥିଲେ। କଷବା, ସାଠିବାଟି ଓ ଆଖପାଖ ଗ୍ରାମର ଲୋକଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ମଧ୍ୟ ଜାରି ରହିଛି। ନିକଟରେ ଥିବା ମଣ୍ଡପରେ ୫-୭ ରାତି ପାଲା ପରିବେଷଣ ହୋଇଥାଏ। ସତ୍ୟପୀର ପାଲାକମିଟି ସହିତ ଗାଁର ଯୁବକମାନେ ବାର୍ଷିକ ଉତ୍ସବ, ଡ୍ରାମା କରିଥାନ୍ତି। ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏକ ସ୍ଥାୟୀ ମଣ୍ଡପଟିଏ ନିର୍ମାଣ ହୋଇଛି।

ପୀରବାବାଙ୍କ ପଡ଼ିଆ ଚାରିପାଖରେ ବହୁ ବର, ଅଶ୍ୱତ୍‌ଥ ଗଛ ରହିଛି। ପୁରାତନ ଗଛ ବାତ୍ୟାରେ ନଷ୍ଟ ହୋଇଯିବା ପରେ ନୂତନ ଗଛ ଲଗାଯାଇଛି। ପୂର୍ବରୁ ସେଠାରେ ଜଣେ ମୌଲବୀ ସ୍ଥାୟୀ ଭାବରେ ରହୁଥିଲେ। ତାଙ୍କ ଦେହାନ୍ତ ପରେ ଆଉ କେହି ରହୁନାହାନ୍ତି। ଗୁରୁବାର ସଂଖ୍ୟାଲଘୁଙ୍କ ପକ୍ଷରୁ ଭୋଗଦୋକାନ ଖୋଲିଥାଏ। ଜଣେ ମୌଲବୀ ଆସି ସମସ୍ତଙ୍କୁ ପାଦୁକା ଓ ପ୍ରସାଦ ଦେଇଥାନ୍ତି। ପୀରବାବାଙ୍କ ସେବକ ମତଲୁବ ଅଲ୍ଲୀ ଖାଁଙ୍କ କହିବା ଅନୁସାରେ, ସେ ୩୩ ବର୍ଷ ହେବ ଏଠାରେ ସେବା କରିଆସୁଛନ୍ତି। ଏଠାରେ ଜାତିଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆସି ବାବାଙ୍କ ଆରାଧନା କରନ୍ତି। ଗୁରୁବାର ଅଧିକ ଲୋକ ଆସିଥା’ନ୍ତି। ନଡ଼ିଆ, କଦଳୀ ଆଦି ଭୋଗ ଲଗାଇଥାନ୍ତି। ବିବାହ ପରେ ନବଦମ୍ପତି ଖୁସିରେ ଏଠାକୁ ଆସି ଆଶୀର୍ବାଦ ନେଇଥାନ୍ତି। ମାର୍ଚ୍ଚ ମାସରେ ଜଲସା ହୋଇଥାଏ। କରାଣ୍ଡିପୁର ଗ୍ରାମର ସମସ୍ତ ଲୋକ ଆସି ଚାଦର ଚଢ଼ାଇଥାନ୍ତି ବୋଲି ସେ କହିଛନ୍ତି। ଆଜି ନିକଟସ୍ଥ ଗ୍ରାମର ମନ୍ଦାକିନୀ ବେହେରା, ଚିତ୍ତରଂଜନ ମଲ୍ଲିକ, ସୁବୋଧ ଜେନା ପ୍ରଭୃତି ନିଜ ପରିବାର ତଥା ସନ୍ତାନଙ୍କ କୁଶଳ ମନାସିବାକୁ ବାବାଙ୍କ ନିକଟକୁ ଆସିଥିବା ପ୍ରକାଶ କରିଥିଲେ।

The post ସାଂପ୍ରଦାୟିକ ସଦ୍‌ଭାବର ନିଦର୍ଶନ ନିମ୍ବଗଛ first appeared on Sambad.

from ଜିଲ୍ଲା | Sambad https://ift.tt/3HUdPtY