
କେନ୍ଦୁଝର : ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଏବେ ସଦର ବ୍ଲକ କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବିବାଦରେ ଛନ୍ଦି ହୋଇପଡ଼ିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ ସଦର ବ୍ଲକ ଦାବାଙ୍କ ଗ୍ରାମର ଜଗନ୍ନାଥ ମାଝୀଙ୍କ ଝିଅ ସରିତା ମାଝୀ କୁସୁମିତା ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପଢୁଥିଲେ। କିଛିଦିନ ପୂର୍ବେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ଏଥିପ୍ରତି ଗୁରୁତ୍ବ ଦିଆଗଲା ନାହିଁ । ସରିତା ଅଧିକରୁ ଅଧିକ ଅସୁସ୍ଥ ହେବାରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।
ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଖରପ ହୋଇଥିବା ଖବର ପାଇ ଶ୍ରୀ ମାଝୀ ବିଦ୍ୟାଳୟରେ ପହଞ୍ଚିଥିଲେ। ଅକ୍ଟୋବର ୧ ତାରିଖରେ ସେ ବିଦ୍ୟାଳୟରେ ପହଞ୍ଚିବା ପରେ ସରିତାଙ୍କୁ ଏକ ଦରଖାସ୍ତ ଲେଖାଇ ତହିଁରେ ତାଙ୍କ ଦସ୍ତଖତ ନେଇ ଛାଡ଼ି ଦେଇଥିଲେ। ଛାତ୍ରୀଙ୍କ ବାପା ଜଣେ ଗରିବ ଦିନ ମଜୁରିଆ। ସେ କିଛି ବୁଝି ପାରି ନଥିଲେ। ଝିଅକୁ ଧରି ଘରକୁ ଚାଲି ଯାଇଥିଲେ। ମାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଦୁର୍ବଳ ହୋଇ ପଡ଼ିଥିଲେ। ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲା ନାହିଁ। ୪ ତାରିଖରେ ସରିତା ଗୁରୁତର ହୋଇପଡ଼ିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀ ମାଝୀଙ୍କ ଅଭିଯୋଗ ହେଲା, ହଷ୍ଟେଲରେ ରହି ପାଠ ପଢୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଖାଇବା, ରହିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ ମାଗଣାରେ ସରକାର ଯୋଗାଇ ଦେଉଛନ୍ତି। ଛାତ୍ରୀ ଜଣଙ୍କ ଅସୁସ୍ଥ ହେଲାପରେ ସେତେବେଳେ କାହିଁକି ବିଦ୍ୟାଳୟ ପକ୍ଷରୁ ତାର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଗଲା ନାହିଁ, ସେ ଅତି ଦୁର୍ବଳ ହୋଇଯିବାରୁ ଛାତ୍ରୀଙ୍କ ବାପାଙ୍କୁ ଡକାଇ ଘରକୁ କାହିଁକି ପଠେଇ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ମାଝୀ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
The post ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲେ ବିରୋଧୀଦଳ ମୁଖ୍ୟ ସଚେତକ first appeared on Sambad.from ଜିଲ୍ଲା | Sambad https://ift.tt/3rcFpg1
0 Comments