
ସମ୍ବଲପୁର : ମଣ୍ଡି ଖୋଲି ୫ ଦିନ ପରର ଟୋକନ୍ ଦେବାକୁ ନେଇ ଶୁକ୍ରବାର ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ସମବାୟ ସମିତି ସମୂହର ଉପନିବନ୍ଧକ (ଡିଆର୍ସିଏସ୍) ସମ୍ବଲପୁରଙ୍କୁ ଘେରାଉ କରା ଯାଇଥିଲା। ସରକାରୀ ଅବ୍ୟବସ୍ଥାରେ ଉତ୍କ୍ଷିପ୍ତ ଚାଷୀ ମାନେ ଡିଆର୍ସିଏସ୍ ଲିଂଗରାଜ ନାୟକଙ୍କୁ ପ୍ରାୟ ୩ ଘଣ୍ଟା ଧରି ଘେରି ରଖିଥିଲେ। ଟୋକନ୍ ନ ମିଳିବା ଯାଏ ଅଫିସ୍ରେ ବସି ରହିବୁ ବୋଲି ଅଡ଼ି ବସିଥିଲେ। ଶେଷରେ ଚାଷୀଙ୍କ ଜିଦ୍ ଆଗରେ ହାର ମାନିଥିଲା ସରକାରୀ ବ୍ୟବସ୍ଥା। ଚାଷୀଙ୍କ ଉଦ୍ବେଗ ସଂପର୍କରେ ଡିଆର୍ସିଏସ୍ ରାଜଧାନୀସ୍ଥିତ ନିଜ ବିଭାଗକୁ ଜଣାଇବା ପରେ ସମ୍ବଲପୁର ସଦର ଉପଖଣ୍ଡର ପ୍ରାୟ ସମସ୍ତ ସମବାୟ ସମିତିର ଚାଷୀଙ୍କୁ ଟୋକନ୍ ପ୍ରଦାନ କରା ଯାଇଥିଲା। ୨ ଘଣ୍ଟା ମଧ୍ୟରେ ନୂଆ ଟୋକନ୍ ସୃଷ୍ଟି କରି ପଠା ଯାଇଥିଲା। ଚାଷୀଙ୍କ ମୋବାଇଲ୍କୁ ବି ୨୫, ୨୬, ୨୭ ତାରିଖର ଟୋକନ୍ ବାବଦ ମେସେଜ୍ ଆସି ପହଞ୍ଚିଥିଲା। ଏହାପରେ ଯାଇ ଚାଷୀ ମାନେ ଡିଆର୍ସିଏସ୍ଙ୍କ କାର୍ଯ୍ୟାଳୟ ଛାଡ଼ିଥିଲେ। ଟୋକନ୍ ଗୁଡ଼ିକର ବୈଧତା ଏକ ମାସ ପର୍ଯ୍ୟନ୍ତ ଥିବାରୁ ଏହି ତାରିଖର ଟୋକନ୍ ପାଇଥିବା ଚାଷୀ ମାନେ ଶନିବାରଠାରୁ ନିଜ ଧାନ ବିକି ପାରିବେ। ଡିସେମ୍ବର ୧୭ ତାରିଖ ଭିତରେ ସମ୍ବଲପୁର ଉପଖଣ୍ଡର ସବୁ ଚାଷୀଙ୍କ ଟୋକନ୍ ଶେଷ ହୋଇଯିବ ବୋଲି ଜଣା ପଡ଼ିଛି। ଯେଉଁ ଚାଷୀଙ୍କ ଟୋକନ୍ ବିଳମ୍ବରେ ଥିଲା ତାକୁ ଚାଷୀଙ୍କ ଦାବି ପରେ ଆଗକୁ ଅଣାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରୁ ସମ୍ବଲପୁର ଉପଖଣ୍ଡରେ ମଣ୍ଡି ଖୋଲିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା। ପ୍ରଥମ ଦିନରେ କେବଳ ରେମେଡ୍ ସେବା ସମବାୟ ସମିତିର ମାତ୍ର ୨୦ ଜଣ ଚାଷୀଙ୍କ ପ୍ରାୟ ୩ ହଜାର ବସ୍ତା ଧାନ ଉଠିଥିଲା। କେବେଳ ସେତିକି ଚାଷୀଙ୍କୁ ହିଁ ପ୍ରତୀକାତ୍ମକ ଭାବେ ଟୋକନ୍ ଦିଆ ଯାଇଥିଲା। ଏହାପରେ ୨୫ରୁ ୨୮ ତାରିଖ ମଧ୍ୟରେ ଆଉ କାହାରିକୁ ଟୋକନ ଦିଆଯାଇ ନଥିଲା। ପରବର୍ତ୍ତୀ ଟୋକନ୍ ଗୁଡ଼ିକ ୨୯ରୁ ଥିଲା। ଏହାକୁ ନେଇ ଚାଷୀ ମାନେ ଉତ୍କ୍ଷିପ୍ତ ଥିଲେ। ପୂର୍ବ ଯୋଜନା ମୁତାବକ ସେମାନେ ଶୁକ୍ରବାର ଡିଆର୍ସିଏସ୍ ଲିଂଗରାଜ ନାୟକଙ୍କୁ ଘେରାଉ କରି ବିଭିନ୍ନ ପ୍ରକାର ପ୍ରଶ୍ନବାଣରେ ଘାଇଲା କରିଥିଲେ। ସେମାନେ କହିଥିଲେ ଯେ ଓଡ଼ିଶା ସରକାରଙ୍କ ସଚିବ ମାନେ ଭୁବନେଶ୍ବରରେ ରହି ଚାଷ ସମ୍ବନ୍ଧୀୟ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛନ୍ତି। ଏଠି ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କୁ କୌଣସି କ୍ଷମତା ଦିଆଯାଇ ନାହିଁ। ଯଦି ୨୯ ତାରିଖ ପରେ ଟୋକନ୍ ଦେବାର ଥିଲା ତାହେଲେ ୨୪ ତାରିଖରେ ମଣ୍ଡି ଖୋଲୁଥିଲେ କାହିଁକି? ନାଁକୁ କେବଳ ପ୍ରଥମ ଦିନ ଲୋକଦେଖାଣିଆ ଭାବେ ଗୋଟିଏ ମଣ୍ଡିର ହାତଗଣତି ଚାଷୀଙ୍କୁ ଟୋକନ୍ ଦେଇଦେଲେ। ପୁଣି ୫ ଦିନ ସବୁ ଠପ୍। ଏଭଳି ସ୍ଥିତିରେ ବିକଟ ପରିସ୍ଥିତି ସୃଷ୍ଟି ହୋଇଛି। ସେମିତି ବି ଅଧିକାଂଶ ଚାଷୀଙ୍କ ଧାନ ପ୍ରସ୍ତୁତ ହୋଇ ବିକ୍ରି ଅପେକ୍ଷାରେ ରହିଛି। ମଣ୍ଡି ଖୋଲିବାରେ ତ ବିଳମ୍ବ ହୋଇଛି। ସେଥିରେ ପୁଣି ଟୋକନ୍ ନ ଆସିବା ଦ୍ବାରା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି। ଅକସ୍ମାତ ଯଦି ଅଦିନିଆ ବର୍ଷା ହେଲା ତାହେଲେ ଚାଷୀ କୋଉ କୂଳକୁ ହେବ ନାହିଁ। ତା’ର ବର୍ଷ ସାରାର ପରିଶ୍ରମ ନଷ୍ଟ ହୋଇଯିବ। ସେଥି ପାଇଁ ସରକାର ଦାୟୀ ରହିବେ କି ବୋଲି ସରକାର ପ୍ରଶ୍ନ କରିଥିଲେ। ତେଣୁ ଟୋକନ୍ ନ ମିଳିଲେ ସେଠାରେ ବସି ରହିବେ ବୋଲି କହିଥିଲେ। ଏହାପରେ ଡିଆର୍ସିଏସ୍ ଶ୍ରୀ ନାୟକ ତତ୍ପରତା ଦେଖାଇ ଭୁବନେଶ୍ବର ସହ କଥାବାର୍ତ୍ତା କରି ସଦର ଉପଖଣ୍ଡର ୧୮ଟି ସମବାୟ ସମିତିର ଚାଷୀଙ୍କ ପାଇଁ ତାଜା ଟୋକନ୍ ସୃଷ୍ଟି କରାଇଥିଲେ। ଅଶୋକ ପ୍ରଧାନ, ମୁରାରୀ ପୁରୋହିତ, ହରିଶଂକର ପୁରୋହିତ, ଉମେଶ ମିଶ୍ର, ପ୍ରଦୀପ ପାତ୍ର, ରାଧେଶ୍ୟାମ ପଣ୍ଡା, ଦିଲୀପ ମହାପାତ୍ର, ଅଶୋକ ନାଥ, କାଶୀ ବିଶ୍ବନାଥ, ନିଗମାନନ୍ଦ ପୂଜାରୀ, ଦେବେନ୍ଦ୍ର ପ୍ରଧାନ, ଜଗଦାନନ୍ଦ ନାୟକ, ବିପିନ ଭୋଇ, ବଂଶୀଧର ପ୍ରଧାନ, ପ୍ରକାଶ ପ୍ରଧାନ, ନିମାଇ ପାଣିଗ୍ରାହୀ, ବିଭୂତି ପଣ୍ଡାଙ୍କ ସମେତ ବହୁ ଚାଷୀ ଏହି ଘେରାଉରେ ସାମିଲ ହୋଇଥିଲେ।
The post ମଣ୍ଡି ଖୋଲି ଟୋକନ୍ ନଦେବା ପ୍ରସଂଗ: ଡିଆର୍ସିଏସ୍ଙ୍କୁ ଘେରିଲେ ଉତ୍କ୍ଷିପ୍ତ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3HXcFhf
0 Comments