ଖୋର୍ଦ୍ଧା: ସ୍ଥାନୀୟ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଶନିବାରଠାରୁ ଆନ୍ଦୋଳନ ଡାକରା ଓ ସ୍ଥାନୀୟ ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯାଇଛି । ସଂଘର ସାଧାରଣ ସମ୍ପାଦକ ବିଶ୍ୱାନଥ ମହାରଣା କହିଛନ୍ତି ଯେ, ଅନେକ ଦିନ ଧରି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଆବେଦନ, ଗୁହାରି କରାଯାଉଥିଲା। କିନ୍ତୁ ସେମାନଙ୍କ ଦାବିକୁ ଉଚ୍ଚକର୍ତ୍ତୃପକ୍ଷ କୌଣସି ପ୍ରକାର ଗୁରୁତ୍ବ ଦେଇନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ସେମାନଙ୍କ ଦାବି ଭିତରେ ପ୍ରସ୍ତାବିତ ପ୍ୟାକ୍ସ ଓ ଲ୍ୟାମ୍ପର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତିକୁ ରଦ୍ଦ କରିବା, ସମିତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ବର୍ଦ୍ଧିତ ମହଙ୍ଗାଭତ୍ତା, ସରକାରଙ୍କ ମାନବସମ୍ବଳ ନିୟାମକ ଅନୁସାରେ ବରିଷ୍ଠତା ଭିତ୍ତିରେ ବ୍ୟାକିଂ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି, କର୍ମଚାରୀଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, କାର୍ଯ୍ୟାଳୟ ଗୃହ ଯୋଗାଇଦେବା ଆଦି ରହିଛି । ରବିବାର କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ କର୍ମଚାରୀମାନେ କାର୍ଯ୍ୟବନ୍ଦ ସହ ଧାରଣାରେ ବସିବେ । ଏହି ଦାବିଗୁଡ଼ିକ ନେଇ ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଜାରି ରଖିଛି ଓ ତାଙ୍କୁ ଖୋର୍ଦ୍ଧା ସଂଘ ପକ୍ଷରୁ ସମର୍ଥନ ଦିଆଯାଇଛି ବୋଲି ଶ୍ରୀ ମହାରଣା କହିଛନ୍ତି।

The post କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3DFVMW6