
ଘଟଗାଁ : ପର୍ଯ୍ୟଟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀଧର ମହାଲା ସୋମବାର ଦିନ ଘଟଗାଁ ଆସି ମା’ ତାରିଣୀ ମନ୍ଦିରର ଭିତ୍ତିଭୂମି ଦେଖିଛନ୍ତି। ତାରିଣୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ କାମ ଖୁବଶୀଘ୍ର ଆରମ୍ଭ ହେବ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇ କୋଟି ନବେ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ମହାଲା ପ୍ରକାଶ କରିଛନ୍ତି। ଶ୍ରୀ ମହାଲାଙ୍କ ସହ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ବେହେରା, ପ୍ରସନ୍ନ ସାହୁ ପ୍ରଥମେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପରେ ମନ୍ଦିର ପରିସରରେ ଥିବା ପୋଖରୀ, ପାର୍କିଂ ଜାଗା, ଭୋଗ ମଣ୍ଡପ, କୋଡିଏ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ସ୍ୱାଗତ ତୋରଣ ପାଇଁ ଜାଗା, ମନ୍ଦିର ସମୁଖ ଭାଗ ପାଚେରି ନିର୍ମାଣ, ଶୌଚାଳୟ ଓ ସେଲ୍ଫି ପଏଣ୍ଟ ଜାଗା ବୁଲି ଦେଖିଥିଲେ।
ସୂଚନାଯୋଗ୍ୟ, ଗତମାସରେ ଡିଟିଡିସିର ଜିଏମ୍ ଶାନ୍ତନୁ ମହାନ୍ତି ଘଟଗାଁ ଆସି ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ଦିର ସୌନ୍ଦର୍ଯ୍ୟୀକରଣ ଓ ଭିତ୍ତିଭୂମି ବିକାଶ ପାଇଁ ଦୁଇ କୋଟି ନବେ ଲକ୍ଷ ଟଙ୍କା ମଞ୍ଜୁର ଜଣାଇଥିଲେ। ପରିଦର୍ଶନ ସମୟରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ରୁଦ୍ରନାରାୟଣ ମହାନ୍ତ, ବଳଭଦ୍ର ନନ୍ଦ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, କର୍ମଚାରୀ ଅକ୍ଷୟ କୁମାର ବେହେରା ଓ ଅବନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
The post ମା’ ତାରିଣୀ ମନ୍ଦିର ଭିତ୍ତିଭୂମି ଦେଖିଲେ ପର୍ଯ୍ୟଟନ ବିଭାଗ ଯନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3w7VS5N
0 Comments