ବଲାଙ୍ଗୀର : ବଲାଙ୍ଗୀରର ଲକ୍ଷ୍ମୀଯୋର ପ୍ରକଳ୍ପରେ ପ୍ରାୟ ୨୦ କୋଟି ଟଙ୍କା ହରିଲୁଟ ହୋଇଛି ବୋଲି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂହଦେଓ କହିଛନ୍ତି। ଶନିବାର ଅନଙ୍ଗ ଲକ୍ଷ୍ମୀଯୋର ପରିଦର୍ଶନ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ ନିଜେ ନିର୍ବାଚିତ ଥିବା ସମୟରେ ୧୪ରୁ ୧୫ ଲକ୍ଷ ଟଙ୍କାର ଅନୁଦାନରେ ପବ୍ଲିକ ସ୍କୁଲ ନିକଟରେ ଏକ ଛୋଟ ପ୍ରକଳ୍ପ କରିଥିଲେ। ସେଥିରେ ଏବେବି ପାଣି ରହୁଛି। କିନ୍ତୁ ପ୍ରାୟ ୨୦ କୋଟି ଟଙ୍କା ଆସି ଖର୍ଚ୍ଚ ହୋଇଥିଲେ ବି ସେଥିରେ ଯାହା କାମ ହୋଇଛି, କୌଣସିଠାରେ ପାଣି ନାହିଁ। ସ୍ଥାନୀୟ ବିଧାୟକ ବ୍ୟାଙ୍କକ୍ କଥା କହି ଓଡ଼ିଶା ସରକାରଙ୍କ ଟଙ୍କା ବ୍ୟବହାର କରି କାମ କରାଇଥିଲେ। କେମିତି କାମ ହୋଇଛି ତାହା ସମସ୍ତେ ଆଖିରେ ଦେଖନ୍ତୁ ବୋଲି କହିଥିଲେ। ୨୦ କୋଟି ଟଙ୍କା ବିକାଶ ନାଁରେ ସର୍ବନାଶ ହୋଇଛି ବୋଲି କହିଥିଲେ। ଏଣୁ ଲକ୍ଷ୍ମୀଯୋର ପ୍ରକଳ୍ପରେ ଛୋଟ ଛୋଟ ପ୍ରକଳ୍ପ କରି କେମିତି ପାଣି ରହିବ ଏବଂ ବୋଟିଂ ହୋଇ ସୌନ୍ଦର୍ଯ୍ୟକରଣ ହେବ ସେ ଦିଗରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବେ ବୋଲି କହିଥିଲେ।

ସେହିପରି ଯୁବନେତା ଅର୍କେଶ ସିଂହଦେଓ କହିଥିଲେ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ହେବାକୁ କୁହାଯାଇଥିଲା। ଏବେ କିନ୍ତୁ ଉକ୍ତ ପ୍ରକଳ୍ପରେ ପାଣି ନାହିଁ ଓ ପୋତି ହେବାକୁ ବସିଲାଣି। ଅନାବନା ଗଛରେ ଭର୍ତ୍ତି ହେଲାଣି ବୋଲି କହିଥିଲେ।

The post ଲକ୍ଷ୍ମୀଯୋର ପରିଦର୍ଶନ କଲେ ଅନଙ୍ଗ: ‘ବ୍ୟାଙ୍କ୍‌କ ନାଁରେ ୨୦ କୋଟି ହରିଲୁଟ ହୋଇଛି’ first appeared on Sambad.

from ଜିଲ୍ଲା | Sambad https://ift.tt/3lboyqo