
ଭବାନୀପାଟଣା : ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ନମିତାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ୧୦ମ ଜିଲ୍ଲା ପରିଷଦ ବୈଠକ ହୋଇଥିଲା। ଏଥିରେ ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ପିଡି ଡିଆର୍ଡିଏ ସୋମୋଶ ଉପାଧ୍ୟାୟ, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ମନୋଜ ସାହୁଙ୍କ ସମେତ କଳାହାଣ୍ଡି ଜିଲ୍ଲା ପରିଷଦର ସମସ୍ତ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।
ଡିପିଓ ପ୍ରହ୍ଲାଦ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ। ବାରବନ୍ଧା ସେବାଶ୍ରମ ବିଦ୍ୟାଳୟର ହଷ୍ଟେଲ ଗୃହର ପାଇଖାନା ମରାମତି କାର୍ଯ୍ୟ ଅତିଶୀଘ୍ର ସମ୍ପାଦନ ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦୁ ସିଂହଦେଓ ଆଗତ କରିଥିବା ପ୍ରଶ୍ନର ଷ୍ଟାଟସ୍ ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲେ। ତୁରନ୍ତ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମଦନପୁର ରାମପୁର ସିଏଚ୍ସିରେ ରେଡିଓଗ୍ରାଫର ନିଯୁକ୍ତି ଏବଂ ଶିକ୍ଷକମାନଙ୍କ ଡେପୁଟେସନ୍ ବଦଳି ଉପରେ ସିଡିଏମ୍ଓ ଏବଂ ଡିଇଓ ରିପୋର୍ଟ ପ୍ରଦାନ କରିଥିଲେ। କରାଡ଼ଙ୍ଗରୀ ୟୁଜି ସ୍କୁଲ ବନ୍ଦ ପ୍ରସଙ୍ଗରେ ଡିଇଓ ରିପୋର୍ଟ ପ୍ରଦାନ କରିଥିଲେ। ସାଂସଦ ଶ୍ରୀ ପଣ୍ଡା ୧୨୦୦ ଚେକ୍ଡ୍ୟାମ୍ର କାର୍ଯ୍ୟକାରିତା, କେତେ କାର୍ଯ୍ୟକ୍ଷମ ଓ କେତେ ଜମିରେ ପାଣି ମାଡ଼ୁଛି ପ୍ରଶ୍ନରେ ରିପୋର୍ଟ ପ୍ରଦାନକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ଏବଂ ୫୩୬ଟି ଚେକ୍ଡ୍ୟାମ୍ ଉପରେ ମଧ୍ୟ କ୍ଷୋଭ ଜାହିର କରିଥିଲେ। ଯଦି ଚେକ୍ଡ୍ୟାମ୍ ଲୋକଙ୍କ ଗାଈଗୋରୁ ତଥା ଜମିରେ ପାଣି ମଡ଼ାଇବା କାର୍ଯ୍ୟରେ ଲାଗିପାରିଲା ନାହିଁ ତେବେ ଏସବୁ ଦାୟିତ୍ବରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ଜିଲ୍ଲାପାଳ ଏପିଡି ବୈଷୟିକଙ୍କୁ ଏ ବିଷୟରେ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କୋକସରା ବ୍ଲକ୍ରେ ୩ରୁ ୪କୋଟି ଟଙ୍କାର କାର୍ଯ୍ୟାଦେଶ ଥାଇ କାହିଁକି କାମ କରାଯାଉ ନାହିଁ। ବ୍ଲକ୍ରେ ବିକାଶ କାର୍ଯ୍ୟ ଆଗେଇପାରୁ ନାହିଁ ବୋଲି କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଭିଯୋଗ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିବା ଦେଶୀ, ବିଦେଶୀ ମଦ ଦୋକାନର ତାଲିକା, ଧାର୍ଯ୍ୟ ଦର ଉପରେ ଅବକାରୀ ଅଧୀକ୍ଷକ ରିପୋର୍ଟ ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ୩୨ଟି ଆଇଏମ୍ଏଫ୍ଏଲ୍ ଅଫ୍ ସପ୍, ୨୨ଟି ଆଇଏମ୍ଏଫ୍ଏଲ୍ ଅନ୍ ସପ୍, ୬୭ଟି ଓଏସ୍ ମେନ୍ ସପ (ଭାଟି), ୮୩ଟି ବ୍ରାଞ୍ଚ ସପ୍ ଓ ୭ଟି ସେଲ୍ ସେଣ୍ଟର ଅଛି। ଭାଟିବାଲା ବେଆଇନ କୋଠି ସୃଷ୍ଟି କରୁଥିବା ଏବଂ ବେଆଇନ କୁଚିଆ ବେପାରୀଙ୍କ ଉପରେ ଧରପଗଡ଼ କରିବା ପାଇଁ ଅବକାରୀ ଅଧୀକ୍ଷକଙ୍କୁ ଅନୁରୋଧ କରିଥିଲେ। ଧାନ କ୍ରୟ ସମୟରେ ଗତ ଖରିଫ ଓ ରବି ଋତୁରେ ୫ରୁ ୬କେଜି କଟନି ଛଟନି ଉପରେ ଅତ୍ୟନ୍ତ କ୍ଷୋଭ ସହ ସାଂସଦ ଶ୍ରୀ ପଣ୍ଡା ଗୃହରେ ଚିଫ୍ ସିଏସ୍ଓଙ୍କୁ ତାଗିଦ କରିଥିଲେ ଓ ଧାନ ସଂଗ୍ରହ କ୍ରୟ କେନ୍ଦ୍ରକୁ ପରିଦର୍ଶନରେ ଯାଇ ଏ ବିଷୟରେ ତଦନ୍ତ କରନ୍ତୁ ବୋଲି କହିଥିଲେ। ଚଳିତ ଖରିଫ ଋତୁର ଧାନ କ୍ରୟ ଗତ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଛି। ମୋଟ୍ ୨୦୯ଟି ଧାନ ସଂଗ୍ରହ କେନ୍ଦ୍ରରେ ପଞ୍ଜୀକୃତ ୮୭୪୩୧ ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ଓ ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲୁ ରହିବ। ଧାନ କ୍ରୟକେନ୍ଦ୍ର ଖୋଲିବା ପୂର୍ବରୁ କାହିଁକି ଆର୍ଏମ୍ସି ଦ୍ବାରା ପ୍ରଚାର ପ୍ରସାର କରାଗଲା ନାହିଁ ବୋଲି ମ.ରାମପୁର ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦୁ ସିଂହଦେଓ କହିଥିଲେ।
କଳାହାଣ୍ଡି ଜିଲ୍ଲାରେ ପାନୀୟ ଜଳର ବ୍ୟବସ୍ଥା, ଜୁନାଗଡ଼, ଜୟପାଟଣା, କଲମପୁର ପାଇଁ ଏବଂ ଥୁଆମୂଳ ରାମପୁର ଓ କୋକସରା ପାଇଁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ, ଟେଣ୍ଡର, ଅନୁଦାନ ଅର୍ଥ ଓ ଅନ୍ୟାନ୍ୟ ସୁବିଧା ଉପରେ ଆର୍ଡବ୍ଲ୍ୟୁଏସ୍ଏସ୍ର ନିର୍ବାହୀ ଯନ୍ତ୍ରୀ ରିପୋର୍ଟ ଦେଇଥିଲେ। ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ, ଜଳ ବିଭାଜିକା, ଗ୍ରାମ୍ୟ ଊନ୍ନୟନ, ପୂର୍ତ୍ତ, ଆଇଟିଡିଏ, ଶିକ୍ଷା ଜଳସେଚନ, ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ନିଜ ନିଜର ଚଳିତବର୍ଷର ପ୍ରକଳ୍ପ ଓ ଅନୁଦାନ ଉପରେ ରିପୋର୍ଟ ପ୍ରଦାନ କରିଥିଲେ। ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୫୩, ୬୩୪ ବାସଗୃହ ବିପିଏଲଙ୍କୁ ଏବଂ ୮୦, ୦୮୧ ବାସଗୃହ ଏପିଏଲଙ୍କୁ ବିଦ୍ୟୁତ ଯୋଗାଣ କରାଯାଇଛି ବୋଲି ପ୍ରକାଶ କରିଥିଲେ।
The post ଭବାନୀପାଟଣାରେ ୧୦ମ ଜିଲ୍ଲା ପରିଷଦ ବୈଠକ: ‘ଚେକ୍ଡ୍ୟାମ୍ କାମରେ ନଲାଗିଲେ ଯନ୍ତ୍ରୀଙ୍କ କାର୍ଯ୍ୟର ତଦନ୍ତ ହେଉ’ first appeared on Sambad.from ଜିଲ୍ଲା | Sambad https://ift.tt/3xtdiKJ
0 Comments