ଖୋର୍ଦ୍ଧା: ଆଜି ବିଶ୍ୱ ଏଡ୍‌ସ ସଚେତନତା ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ଣରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି ଓ ବରିଷ୍ଠ ଜଜ (ଦେୱାନୀ ଅଦାଲତ) ଦିଲିପ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଚେତନତା ରଥ ଖୋର୍ଦ୍ଧା ପୌରାଂଚଳ ଓ ବିଭିନ୍ନ ବ୍ଲକ ପରିକ୍ରମା କରି ସଚେତନତା ସୃଷ୍ଟି କରିବ ।

ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ମୁଖ୍ୟ ଚିକିତ୍ସାଧିକାରୀ ଡା ପତି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଜଜ୍ (ଦେୱାନୀ ଅଦାଲତ) ଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସୁରେନ୍ଦ୍ର କୁମାର ପାଢ଼ୀ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ଅଜିତ କୁମାର ପଟ୍ଟନାୟକ, ଜିଲ୍ଲା ନୋଡାଲ୍ ଅଫିସର (ଏଡ୍‌ସ ନିୟନ୍ତ୍ରଣ) ଡା ସୁବ୍ରତ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟାଧିକାରୀ ଡା ପ୍ରଶାନ୍ତ କୁମାର ଦାଶ, ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏଡ୍‌ସ ଓ ଏଚ୍ଆଇଭି ସଂକ୍ରମଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୧୯୮୮ରୁ ବିଶ୍ୱସ୍ତରରେ ପ୍ରତିବର୍ଷ ଏହି ଦିନରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଡ୍‌ସ ରୋଗୀଙ୍କ ଆବଶ୍ୟକ ଚିକିତ୍ସା ସୁବିଧା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେମାନଙ୍କ ଅଧିକାର ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମକୁ ଡିପିଏମ୍ ବିଧାନ ଚନ୍ଦ୍ର ନାୟକ ସଂଯୋଜନା କରିଥିଲେ, ତାଲୁକ ଆଇନସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ, ଆଇନଜୀବୀ ନିରଂଜନ ବାଘସିଂ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଏଏନ୍ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ।

The post ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳିତ first appeared on Sambad.

from ଜିଲ୍ଲା | Sambad https://ift.tt/3EhenI9