ବଲାଙ୍ଗୀର : ସ୍ଥାନୀୟ ମନୋହରପୁର ପୁଲିସ ପଡ଼ିଆରେ ବଲାଙ୍ଗୀର ଜିଲ୍ଲା ହୋମଗାର୍ଡ ବାହିନୀ ଦ୍ୱାରା ୫୯ତମ ବାର୍ଷିକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏସ୍‌ପି ତଥା କମାଣ୍ଡାଣ୍ଟ୍ ହୋମଗାର୍ଡ ବଲାଙ୍ଗୀର ନିତିନ କୁଶଲକର ଯୋଗଦେଇଥିଲେ। ହୋମଗାର୍ଡ ଦିବସ ସଂପର୍କରେ କହିବା ସହ କୋଭିଡ ଲକ୍‌ଡାଉନ ସମୟରେ ହୋମଗାର୍ଡମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହି ଅବସରରେ ୭ ଜଣ ଗୃହରକ୍ଷୀଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହ ଅବସରପ୍ରାପ୍ତ କମ୍ପାନି କମାଣ୍ଡର ଧବଳେଶ୍ୱର ଦଳବେହେରା ଓ ଅବସର ନେବାକୁ ଥିବା ହୋମଗାର୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ କିଲନ୍ଧର କୁମ୍ଭାରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖନୀୟ ସେବା ନିମନ୍ତେ ପୁରସ୍କାରପ୍ରାପ୍ତ ଗୃହରକ୍ଷୀ ଜିତେନ୍ଦ୍ର ଖୁରାଙ୍କୁ କଣ୍ଟାବାଞ୍ଜି ଉତ୍ତରାଞ୍ଚଳ ଡିଆଇଜି ପ୍ରଦାନ କରିଥିବା ମାନପତ୍ର ସହ ୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୃହରକ୍ଷୀ ଚକାନୟନ ବଗର୍ତ୍ତୀ ଦେଓଗାଁ ଥାନା, ଲଲାଟେନ୍ଦୁ ବିଶ୍ୱାଲ ଖପ୍ରାଖୋଲ ଥାନା, ସନନ୍ତ ଘିବେଲା ବେଲପଡା ଥାନା, ବିଷ୍ଣୁପ୍ରସାଦ ରାୟଗୁରୁ ଟିଟିଲାଗଡ଼ ଥାନା, ସିଦ୍ଧାନ୍ତ ପ୍ରଧାନ ଟାଉନ ଥାନା ଓ ହେଡକ୍ୱାଟର ପ୍ଳାଟୁନ କମାଣ୍ଡର ସୁଧିର ଜାଲ ପ୍ରତ୍ୟକଙ୍କୁ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସହକାରୀ ଦୁର୍ଗପତି କୁମୁଦ ସେଠଙ୍କ ତତ୍ତ୍ୱାବଧାନରେ କମ୍ପାନି କମାଣ୍ଡର ହେମନ୍ତ ବେହେରାଙ୍କର ନେତୃତ୍ୱରେ ପରେଡ୍ ପରିଚାଳନା ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଥାନାରୁ ଗୃହରକ୍ଷୀମାନେ ଯୋଗଦେଇ ଆୟୋଜିତ ପରେଡ୍‌ରେ ଭାଗନେଇଥିଲେ। ପରେଡ୍‌ରେ କମାଣ୍ଡରଙ୍କୁ ସେକେଣ୍ଟ୍ ଇନ୍ କମାଣ୍ଡ୍ ଭାବେ ସହଯୋଗ କରିଥିଲେ ପ୍ଳାଟୁନ କମାଣ୍ଡର ପ୍ରଫୁଲ୍ଲ ବଗର୍ତ୍ତୀ। ପ୍ଳାଟୁନ କମାଣ୍ଡର ସୁଧିର ଜାଲ, ଗୁଲାମ ସାହୁ, ଟଙ୍କଧର ସେଠ୍ ଓ ଦୀନବନ୍ଧୁ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଅତିଥି ଭାବେ ୧୮୯ ବାଟାଲିଆନ, ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ରିଜର୍ଭ ଆର୍‌ଆଇ ଅସିତ ସାହୁ, ସର୍‌ଜେଣ୍ଟ୍ ଅମିତ କୀର୍ତ୍ତନିଆ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ ଏବଂ ଅନ୍ୟାନ୍ୟ ଥାନା ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ।

The post ବଲାଙ୍ଗୀରରେ ୫୯ତମ ହୋମଗାର୍ଡ ଦିବସ ପାଳିତ first appeared on Sambad.

from ଜିଲ୍ଲା | Sambad https://ift.tt/335U2rH