ଫୁଲବାଣୀ : କୌଣସି ସରକାରୀ ପ୍ରୋତ୍ସାହନ ନୁହେଁ ବରଂ ନିଜସ୍ବ ଉଦ୍ୟମରେ କୁଟିଆ କନ୍ଧ ଗ୍ରାମବାସୀ ଏକ ପର୍ବତ ଉପରେ ବହି ଯାଉଥିବା ଝରଣାକୁ ବନ୍ଧବାନ୍ଧି ପାହାଡ଼ କାଟି ଗାଁକୁ ପାଣି ଆଣିଛନ୍ତି। ପ୍ରଶାସନକୁ ଅପେକ୍ଷା ନକରି ନିଜ ପାଇଁ ନିଜେ କାମ କରି ଯୁବ ସମାଜ ପାଇଁ ପ୍ରେରଣା ସାଜିଛନ୍ତି। ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ଦେଓଗଡ଼ା ଗ୍ରାମର ପଛପଟେ ପିତାକିସରୁ ବିଶାଳ ପାହାଡ଼ ରହିଛି। ଏହି ପାହାଡ଼ରୁ ଏକ  ଝରଣା ବାହାରିଛି। ହେଲେ ଝରଣା ପାଣି ବହି ନଷ୍ଟ ହେଉଥିବାବେଳେ ନିକଟରେ ଥାଇ ଦେଓଗଡ଼ା ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗୁଥିଲେ। ଏଥି ସହିତ ଚାଷବାସ ପାଇଁ ଅସୁବିଧା ହେଉଥିଲା।

ପାଣି ପାଇଁ ଗାଁବାଲାଙ୍କୁ ନାକେଦମ ହେବାକୁ ପଡୁଥିଲା। ବିଶେଷକରି ଗ୍ରୀଷ୍ମ ଋତୁରେ ଏହି ଗ୍ରାମର ଲୋକେ ପାଣି ପାଇଁ ବହୁ କଷ୍ଟ କରି ନିଜ ଗାଁଠାରୁ କିଛି ଦୂରରେ ବହିଯାଉଥିବା ଉକ୍ତ ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ। କିନ୍ତୁ ଏଥିପାଇଁ ଗ୍ରାମର ମହିଳାମାନଙ୍କୁ ପ୍ରାୟ ୫ କିମି ବାଟ ଚାଲିଚାଲି ଯିବାକୁ ପଡୁଥିଲା। ପାଣିର ସୁବିଧା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି କୁଟିଆ କନ୍ଧ ଉନ୍ନୟନ ସଂସ୍ଥାକୁ ଜଣାଇଥିଲେ ବି ସୁଫଳ ମିଳୁନଥିଲା।

ତେବେ ନିଜ ପାଇଁ ନିଜେ କାମ କରିବାକୁ ପଡିବ ଭାବି ଗାଁକୁ ପାଣି ଆଣିବାକୁ ଦେଓଗଡ଼ା ଗ୍ରାମବାସୀ ଅଣ୍ଟା ଭିଡ଼ି ଥିଲେ। ଗାଁ ପଛରେ ଥିବା ପିତାକିସରୁ ପାହାଡ଼ରୁ ବହୁଥିବା ଝରଣାକୁ ନିଜସ୍ବ ଉଦ୍ୟମରେ ବନ୍ଧ ବାନ୍ଧି ପାହାଡ ଚିରି କେନାଲ ଦ୍ବାରା ନିଜ ଗାଁକୁ ପାଣି ଆଣିବାକୁ ସକ୍ଷମ ହୋଇଛନ୍ତି। ଏବେ ପାନୀୟ ଜଳ ସମସ୍ୟା ଦୂର ହେବା ସହ ଚାଷ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁଛି। ଋତୁଭିତ୍ତିକ ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନରେ ଏହି ପାଣି ସହାୟକ ହୋଇପାରୁଛି।

ଏବେ ଦେଓଗଡ଼ା ଗ୍ରାମର କୁଟିଆ କନ୍ଧମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ମଧ୍ୟ ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି କହନ୍ତି ଗ୍ରାମର ପିଟୁକୁ ମାଝି, ବିପିନ ମାଝି, ରାଧାକାନ୍ତ ମାଝି, ମାକନ ମାଝି। ପିତାକିସରୁ ପାହାଡ଼ରୁ ଗାଁକୁ ପାଣି ଆସିପାରିବା ଏକ ବଡ଼ ଉପଲବ୍‌ଧି ବୋଲି କହନ୍ତି ଗ୍ରାମର ସହଦେବ ମାଝି, ଗଣେଶ ମାଝି, ସାମନ୍ତ ମାଝି।

The post ନିଜ ପାଇଁ ନିଜେ: ପାହାଡ଼ କାଟି ଗାଁକୁ ଆଣିଲେ ପାଣି first appeared on Sambad.

from ଜିଲ୍ଲା | Sambad https://ift.tt/3xYjomL