ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଅବକାରୀ ବିବାଗ ତରଫରୁ ଘନ ଘନ ଚଢାଉ କରାଯାଇ କୋଟି କୋଟି ଟଂକାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି।ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆରଏସସି-୧୦ ଏବଂ ଏରାଗାପୁ ଗ୍ରାମରେ ଲଗାଯାଇଥିବା ପ୍ରାୟ ୪୨ ଏକର ସରକାରୀ ଜମିରେ ୬୩ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଚଳିତ ବର୍ଷ ପୁଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ନଷ୍ଟ କରିବା ପ୍ରକ୍ରିୟା ଜୋରଦାର କରାଯାଉଥିବା ନେଇ ସ୍ବାଭିମାନ ଅଂଚଳରେ ଏକ ପ୍ରକାର ଉତ୍ତେଜନା ଦେଖାଦେଉଛି।

ପୁଲିସ ଏବଂ ଅବକାରୀ ସଂପୂର୍ଣ୍ଣ ଗଞ୍ଜେଇ ଚାଲାଣକୁ ରୋକିବାକୁ ଏଭଳି କଡା ପଦକ୍ଷେପ ନେଉଥିବା କୁହାଯାଇଛି। ଚିତ୍ରକୋଣ୍ଡାରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ନେତୃତ୍ବରେ ଲଗାତାର ଗଞ୍ଜେଇ ଚାଲାଣ ରୋକିବାରେ ଏବଂ ଗଂଜେଇ ଗଛକୁ ନଷ୍ଟ କରିବାରେ ସଫଳତା ହାସଲ କରିଚାଲିଛନ୍ତି। ସେହିପରି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅବକାରୀ କର୍ମଚାରୀମାନେ ମଧ୍ୟ ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ବେଆଇନ ଭାବେ କରାଯାଉଥିବା ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ନଷ୍ଟ କରିବାରେ ସଫଳତା ହାସଲ କରୁଛନ୍ତି।

ଯାହାକୁ ନେଇ ମାଫିଆଙ୍କ ମଧ୍ୟରେ ଭାଳେଣୀ ପଡିଲାଣି। ତେବେ ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଗଛକୁ ନଷ୍ଟ କରାଯିବା ସହ ଗଞ୍ଜେଇ ଚାଲାଣକୁ ମଧ୍ୟ ରୋକ ଲଗାଯିବ ବୋଲି ଅବକାରୀ ଅଧିକ୍ଷକ ଏବଂ ଏସଡିପିଓ ପ୍ରକାଶ କରିଛନ୍ତି।

The post ୪୨ ଏକର ସରକାରୀ ଜମିରେ ବେଆଇନ ଗଞ୍ଜେଇ ଗଛ ନଷ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3GmFgeC