
ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଝଡଙ୍ଗା ଠାରେ ଚାଲିଥିବା କୁକୁଡାଗାଲି ଉପରେ ପୁଲିସ ଚଢ଼ଉ କରି ଛଅ ଜଣ ଜୁଆଡିକୁ ଗିରଫ କରିଛି। ଏଥିସହ ୧୧୧୫ ଟଙ୍କା, ଗୋଟିଏ କୁକୁଡ଼ା ଗଞ୍ଜା ଏବଂ ଖୁଡୁଖୁଡି ଖେଳର ପାଲି ସହ ଗୋଟି ଜବତ କରିଥିବା ପ୍ରକାଶ। ପୁଲିସ ସୂଚନା ଅନୁଯାୟୀ, ପୁଲିସ କୁକୁଡାଗାଲି ଚାଲିଥିବା ସ୍ଥାନରେ ଚଢଉ କରିବା ଦେଖି କିଛି ଜୁଆଡି ଦୈାଡି ଚାଲିଯାଇଥିବା ବେଳେ ଛଅ ଜଣକୁ କାବୁ କରିବାରେ ସମର୍ଥ ହୋଇଛି। ଘଟଣାସ୍ଥଳରୁ ଗୋଟିଏ ଲଢ଼ୁଆ ଗଞ୍ଜା ସହ ୧୧୧୫ ଟଙ୍କା ମଧ୍ୟ ଜବତ କରିଛି। ଏଥିସହ ସେଠାରେ ଚାଲିଥିବା ଖୁଡୁଖୁଡି ଖେଳର ପାଲି, ଗୋଟି ମଧ୍ୟ ଜବତ କରିଛି। ବୈପାରିଗୁଡା ବ୍ଲକ ତଥା ପଡୋଶୀ ବ୍ଲକର ବିଭିନ୍ନ ସ୍ଥାନରେ କୁକୁଡାଗାଲି ଚାଲିବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏହାର କୁପ୍ରଭାବ ସୁଦୂର ପ୍ରସାରୀ ହୋଇଥାଏ। କୁକୁଡାଗାଲିରେ ହଜାର ହଜାର ଟଙ୍କା ବାଜି ଲାଗେ। ଏପ୍ରକାର ଜୁଆଖେଳ ବେଆଇନ ହୋଇଥିଲେ ମଧ୍ୟ ଲୋକେ ଏଥିରେ ଭାଗ ନେଇଥାନ୍ତି।
ଧାନ କଟା ଋତୁ ଆରମ୍ଭ ହେବା ସହ କୁକୁଡ଼ା ଗାଲି ଆରମ୍ଭ ହୋଇଥାଏ। ଯାହାଫଳରେ ଅନେକ ଏହି ଜୁଆ ଖେଳରେ ଭାଗ ନେବା ପାଇଁ ନିଜ ବର୍ଷକର ପରିଶ୍ରମର ଫଳ ରୂପେ ପାଇଥିବା ଫସଲ ବିକ୍ରି କରି ଜୁଆରେ ଉଡ଼େଇ ଦିଅନ୍ତି। ଯାହାକୁ ନେଇ ପାରିବାରିକ ଅଶାନ୍ତି ଏପରିକି ହିଂସା ମଧ୍ୟ ସୃଷ୍ଟି ହୋଇଥାଏ। ଯେଉଁଠି କୁକୁଡ଼ା ଗାଲି ଚାଲେ, ସେଠାରେ ଚୋରା ମଦ ଏବଂ ସଲପ ମଧ୍ୟ ବିକ୍ରି ହୁଏ। ତା’ ସହିତ ଖୁଡୁଖୁଡି ଖେଳର ଆସର ଜମେ। ଯେଉଁମାନେ କୁକୁଡ଼ା ଗାଲିରେ ଟଙ୍କା ବାଜି ଲଗାନ୍ତି ନାହିଁ ସେମାନେ ଖୁଡୁଖୁଡି ଖେଳରେ ଟଙ୍କା ବାଜି ଲଗାଇ ହାରିଥାନ୍ତି। ଜୁଆଖେଳ ପରେ ମଦ୍ୟପାନ କରି ହିଂସାକାଣ୍ଡ ରେ ଲିପ୍ତ ହେବାର ନଜିର ମଧ୍ୟ ରହିଛି। ବହୁ ପରିବାର ଏହି କାରଣରୁ ଉଜୁଡି ଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକିବା ସମ୍ଭବ ହୋଇପାରୁନାହିଁ। ଝଡଙ୍ଗା ଠାରେ ଚାଲିଥିବା କୁକୁଡ଼ା ଗାଲିରୁ ଛଅ ଜଣକୁ ଗିରଫ କରିଥିବା ଆଇଆଇସି ଈଶ୍ଵର ତାଣ୍ଡୀ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଆଗାମୀ ଦିନରେ ଏହି ଚଢ଼ଉ ଜାରି ରହିବ।
The post କୁକୁଡ଼ାଗାଲି ଉପରେ ପୁଲିସର ଚଢ଼ଉ, ୬ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3okfEsm
0 Comments