ବାଲିଅନ୍ତା: ବାଲିଅନ୍ତା-ବାଳକାଟି ପୁରୁଣା ଜଗନ୍ନାଥ ରାସ୍ତାର ଭୁବନପୁର ନିକଟରେ ଏକ ଦ୍ରୁତଗାମୀ କାର ହଠାତ ନିୟନ୍ତ୍ରଣ ହରାଇ ଏକ ଝୁମ୍ପୁଡ଼ି ଘରେ ଚଢ଼ି ଯାଇଥିଲା। ହେଲେ ଝୁମ୍ପୁଡ଼ି ଭିତରେ ଶୋଇଥିବା ଏକ ବୃଦ୍ଧ ଦମ୍ପତ୍ତି ଗୁରୁତର ଆହତ ହୋଇ ପଡ଼ିଥିଲେ। ଆହତ ଦମ୍ପତ୍ତି ହେଲେ ମୋଚି ମହାକୁଡ଼ (୭୦) ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ମହାକୁଡ଼ (୬୦)। ସ୍ଥାନୀୟ ଲୋକ ଊଭୟ ମୋଚି ଏବଂ ଶ୍ରୀମତୀଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରିବା ସହ ଥାନାକୁ ନେଇଥିଲା। ପରେ ଥାନାରେ କାର ମାଲିକ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ବାବଦ ଅର୍ଥ ଦେବା ପରେ ପୁଲିସ ଚାଳକକୁ ଛାଡ଼ି ଦେଇଥିଲା।

ତେବେ ଏହି ଦୁର୍ଘଟଣାରେ ଝୁମ୍ପୁଡ଼ି ଘର ଓ କାରର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହେଲେ କାର ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସୂଚନା ଅନୁସାରେ ଏହି ଦମ୍ପତ୍ତି ଦିନ ମଜୁରିଆ। ଗତକାଲି ରାତି ଦିଟା ବେଳେ କାରଟି ବଇଁଚୁଆ ଅଭିମୁଖେ ଦ୍ରୁତବେଗରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା। ଫଳରେ ଗାଈ ଗୁରୁତର ଆହତ ହୋଇଥିଲା। ଗାଈକୁ ଧକ୍କା ଦେବା ପରେ କାର ରାସ୍ତା ପାର୍ଶ୍ବରେ ଥିବା ଝୁମ୍ପୁଡ଼ିକୁ ଧକ୍କା ଦେଇ ସେଠାରେ ଅଟକି ଯାଇଥିଲା।

The post ଝୁମ୍ପୁଡ଼ି ଘରେ ଚଢ଼ିଗଲା କାର, ଦମ୍ପତି ଆହତ, ଥାନାରେ ଚାଳକ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3rzOmAs