ରାଉରକେଲା: ଦିନ ଥିଲା, ସୁନ୍ଦରଗଡ଼ ଜିଲ୍ଲାର ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ବିଜୟଲାଭ କରୁଥିଲେ। ସାଧାରଣ ନିର୍ବାଚନ ହେଉ ଅବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ସ୍ବାଧୀନ ପ୍ରାର୍ଥୀ ବାଜିମାତ୍‌ କରିବାର ସୁଦୀର୍ଘ ଇତିହାସ ରହିଛି। ଏବେ କିନ୍ତୁ ଏହି ଧାରା ଭାଙ୍ଗିଗଲାଣି। ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନରେ ଯେଭଳି ଅଧିକ ସଂଖ୍ୟକ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହେଉଥିଲେ, ତାହା ଆଉ ଦେଖିବାକୁ ମିଳୁନି। ସ୍ବାଧୀନ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବର ଅଭାବ ହେଉ ଅବା କେବଳ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଭୋଟ୍‌ କାଟ୍‌ତି ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବା, ପୁଣି ଅନ୍ୟ ପ୍ରତିଷ୍ଠିତ ରାଜନୈତିକ ଦଳ ତୁଳନାରେ ପର୍ଯ୍ୟାପ୍ତ ସମ୍ବଳର ଅଭାବ; ଆଉ ଛାପ ଛାଡ଼ି ପାରୁନାହାନ୍ତି ସ୍ବାଥୀନ ପ୍ରାର୍ଥୀ।

ଗତ ତିନୋଟି ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳକୁ ଦେଖିଲେ ସ୍ବାଧୀନ ପ୍ରାର୍ଥୀ ଯେ ପୂର୍ବଭଳି ଆଉ କରିସ୍ମା ଦେଖାଇ ପାରୁନାହାନ୍ତି; ତାହା ସ୍ପଷ୍ଟ ହୁଏ। ଗତ ୨୦୧୭ ସାଧାରଣ ନିର୍ବାଚନରେ ଜିଲ୍ଲାର ମୋଟ୍‌ ୧୯ଟି ଜିଲ୍ଲା ପରିଷଦ ଆସନରେ ୨୩ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏହି ୨୩ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମୋଟ୍‌ ୬୦, ୬୦୫ ଖଣ୍ଡ ଭୋଟ୍‌ ମିଳିଥିଲା। ଏମାନଙ୍କ ମଧ୍ୟରୁ କେବଳ କୁଆରମୁଣ୍ଡା-(କ) ଆସନରୁ ସ୍ବାଧୀନ ପ୍ରାର୍ଥୀ ଯଶମୁନୀ ସାହୁ (୧୨୩୭୫ ଭୋଟ୍‌) ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଅଳକା ସାହୁ(୬୭୮୧ ଭୋଟ୍‌)ଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଅନ୍ୟ ଦୁଇଟି ଆସନ, ଯଥା-କୁଆରମୁଣ୍ଡା-(ଖ) ଓ ବିଶ୍ରା- (କ) ଆସନରେ ସ୍ବାଧୀନ ପ୍ରାର୍ଥୀ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କୁଆରମୁଣ୍ଡା (ଖ) ଆସନରେ ସ୍ବାଧୀନ ପ୍ରାର୍ଥୀ ମଞ୍ଜୁ କୁମ୍ଭାର ୮୦୭୦ ଖଣ୍ଡ ଭୋଟ୍‌ ଓ ବିଶ୍ରା-(କ) ଆସନରେ ପୁଷ୍ପା ବୁଡ଼ ୪୮୫୯ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ଅନ୍ୟ ୨୦ ଜଣ ସ୍ବାଧୀନ ପ୍ରାର୍ଥୀ କୌଣସି ପ୍ରକାର ଛାପ ଛାଡ଼ିପାରିନଥିଲେ। କୋଇଡ଼ା-(ଖ) ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ପଙ୍କଜିନୀ ନାଏକ(୧୦୮୫ ଭୋଟ୍‌) ପାଇ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଗୁରୁଣ୍ଡିଆ-(କ) ଆସନରେ ପୁଷ୍ପାଞ୍ଜଳୀ ବାଗ(୧୮୨୮) ଚତୁର୍ଥ, ଗୁରୁଣ୍ଡିଆ-(ଖ) ଆସନରେ ରଶ୍ମୀତା ପାତ୍ର(୩୫୫) ଅନ୍ତିମ ସ୍ଥାନ, ନୂଆଗାଁ(କ) ଆସନରେ ଜଗଦୀଶ ମୁଣ୍ଡାରୀ (୪୨୮୭) ତୃତୀୟ, ନୂଆଗାଁ-(ଖ) ରେ ସୁଶୀଳା ଟପ୍ନୋ(୬୪୨୭) ତୃତୀୟ, ବଡ଼ଗାଁ-(କ)ରେ ତୁଳସୀ ସୁନାନୀ(୩୩୫) ଶେଷ ସ୍ଥାନ, ବାଲିଶଙ୍କରା-(କ)ରେ ନିଳୀମା ରାଜକିଶୋରୀ ଟପ୍ପୋ(୪୫୫୨) ଚତୁର୍ଥ, ବାଲିଶଙ୍କରା-(ଖ) ରେ ଅମିତ ରଞ୍ଜନ ତନ୍ତୀ(୮୨୯) ଶେଷ, ବିଶ୍ରା-(ଖ) ରେ ଛୋଟେଲାଲ ମୁଣ୍ଡାରୀ(୨୩୧୨) ତୃତୀୟ, ରାଜଗାଙ୍ଗପୁର-(କ)ରେ ଲଳିତା ରାଣା(୯୬୦) ଶେଷ, ରାଜଗାଙ୍ଗପୁର-(ଖ) ରେ ପିଙ୍କି କୁଜୁର(୨୦୯୩) ଚତୁର୍ଥ, ହେମଗିର-(ଖ) ରେ ଉମେଶ ଚନ୍ଦ୍ର ପାଣ୍ଡେ(୭୭୯) ଓ ବସନ୍ତ ଚୌଧୁରୀ(୨୧୨) ଶେଷ, ଲହୁଣୀପଡ଼ା-(ଖ) ରେ ଅଭିମନ୍ୟୁ ସାହୁ(୯୯୮) ଶେଷ, ଲାଠିକଟା-(କ)ରେ ରୁକ୍ମଣୀ କୁଜୁର(୩୮୦୯) ତୃତୀୟ, ଲାଠିକଟା-(ଖ) ରେ ଇଗ୍ନେସିଅସ ଓରାମ(୩୦୩୪) ଚତୁର୍ଥ, ସୁଶାନ୍ତ ଖାଲଖୋ(୩୨୪) ପଞ୍ଚମ ଓ ରାଜୁ ତିର୍କୀ(୨୩୧) ଶେଷ, ଲାଠିକଟା-(ଗ) ଆସନରେ ସୁନେଈ ଏକ୍କା(୪୯୭) ଓ ଡୋରେନ ମିଞ୍ଜ(୩୫୪) ଶେଷ ସ୍ଥାନରେ ରହିଥିଲେ ।

ଅପରପକ୍ଷରେ ୨୦୧୨ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଅପେକ୍ଷାକୃତ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ଉକ୍ତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ସର୍ବାଧିକ ୭ଟି ଆସନକୁ କବ୍‌ଜା କରିନେଇଥିଲେ। କୁଆରମୁଣ୍ଡା-(କ) ଆସନରେ ଇଭି ପ୍ୟାରୀ ବୋଡ୍ରା(୮୬୩୦), କୁତ୍ରା-(କ) ଆସନରେ ସାବିତ୍ରୀ କିଶାନ(୭୧୪୫), କୁତ୍ରା-(ଖ) ଆସନରେ ବୀରମିତ୍ର ମିଞ୍ଜ(୮୧୮୦), କୋଇଡ଼ା-(କ) ଆସନରେ ସୁଶୀଳା ମୁଣ୍ଡା(୯୬୪୦), ନୂଆଗାଁ-(ଖ)ରେ ପପ୍ପୁ କୁମାର ସାହୁ(୭୭୨୮), ବିଶ୍ରା-(ଖ) ରେ କମଳା ଓରାମ(୬୪୭୧) ଓ ଲାଠିକଟା-(ଖ) ଆସନରେ ସୁନୀତା କିଶାନ(୬୩୧୬) ବିଜୟୀ ହୋଇଥିଲେ। ଏହା ପୂର୍ବ ନିର୍ବାଚନ, ଅର୍ଥାତ୍‌ ୨୦୦୭ରେ ଜିଲ୍ଲା ପରିଷଦ ନିର୍ବାଚନରେ ଜଣେ ବି ସ୍ବାଧୀନ ପ୍ରାର୍ଥୀ ବିଜୟର ସ୍ବାଦ ଚାଖିପାରିନଥିଲେ।

The post ଅସ୍ତିତ୍ବ ହରାଉଛନ୍ତି ସ୍ବାଧୀନ ପ୍ରାର୍ଥୀ, ଏଥର ବ୍ୟତିକ୍ରମ ନା ପୁନରାବୃତ୍ତି! first appeared on Sambad.

from ଜିଲ୍ଲା | Sambad https://ift.tt/303fxbu