ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ଏଫ୍‌ସିଆଇ ସମ୍ମୁଖରେ ଶନିବାର ସଂଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି କୁଶାମାଲ ଗ୍ରାମର ଚଉବନ ବିଶ୍ୱାଳ(୪୬) ବୋଲି ଜଣାପଡ଼ିଛି। ଆହତ ଦୁଇ ଜଣ ପାଣ୍ଡବ ନାୟକ (୪୬) ଓ ମୁନା ଚରଣ ସ୍ୱାଇଁ (୪୦) ଏବେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସୂଚନାନୁସାରେ ଶନିବାର ସଂଧ୍ୟାରେ କୁଶାମାଲ ଗ୍ରାମର ଚଉବନ ବିଶ୍ୱାଳ, ଡୁଙ୍ଗୁରିପାଲିର ମୁନାଚରଣ ସ୍ୱାଇଁ ଓ ବଡ଼ନୂଆପାଲି ଗ୍ରାମର ପାଣ୍ଡବ ନାୟକ ଏଫ୍‌ସିଆଇ ସମ୍ମୁଖ ଏକ ଚା’ ଦୋକାନରେ ଠିଆ ହୋଇ ଚା’ ପିଉଥିଲେ। ଏତିକି ବେଳେ ବରଗଡ଼ ପଟରୁ ଏକ ଅଜଣା ଗାଡ଼ି ଆସି ତାଙ୍କ ଉପରେ ମାଡ଼ି ଯାଇ ବଲାଙ୍ଗୀର ପଟକୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଚଉବନଙ୍କୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଏବେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ଚଉବନ ଜଣେ ଡ୍ରାଇଭର ଥିବାରୁ ଡ୍ରାଇଭର ସଂଘ ଉଦ୍‌ବେଗ ପ୍ରକାଶ କରିଛି। ସଂଘର କର୍ମକର୍ତ୍ତା ଓ ସମସ୍ତ ସଭ୍ୟ ସଂଗଠିତ ହୋଇ ମୃତ ଚଉବନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଡୁଙ୍ଗୁରିପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

The post ଡୁଙ୍ଗୁରିପାଲି: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଦୁଇ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/3rCfIpE