ରାଉରକେଲା: ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନ ପାଇଁ ଦାବି ଶାଣିତ ହେବାରେ ଲାଗିଥିବାବେଳେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା କିନ୍ତୁ ଜିଲ୍ଲାବାସୀଙ୍କୁ ନିରାଶ କରିଛି। ରାଉରକେଲା ସମେତ ଯାଜପୁର, ଭବାନୀପାଟଣାରେ ନୂଆ ରେଳ ଡିଭିଜନ ନେଇ ଏବେ କୌଣସି ପ୍ରସ୍ତାବ ନ ଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ରାଜ୍ୟ ସଭାରେ ସାଂସଦ ସୁଜିତ କୁମାର ପ୍ରଶ୍ନ କରିଥିଲେ, ଦକ୍ଷିଣପୂର୍ବ ମଧ୍ୟ ଓ ଦକ୍ଷିଣ ପୂର୍ବ ଅଧିନରେ ଥିବା ଓଡ଼ିଶାର ରେଳ ନେଟୱର୍କ‌କୁ ପୂର୍ବତଟ ‌ଅଧିନକୁ ଅଣାଯିବ କି? ଉକ୍ତ ଅଞ୍ଚଳକୁ ଏତ୍ରିକରଣ କରି ରାଉରକେଲା ସମେତ ଯାଜପୁର ଓ ଭବାନୀପାଟଣାରେ ନୂଆ ରେଳ ଡିଭିଜନର ପ୍ରସ୍ତାବ ଅଛି କି? ତେବେ ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସିଧାସଳଖ ନାସ୍ତିବାଣୀ ଶୁଣାଇଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତର କେବଳ ସାଂପ୍ରତିକ ପରିସ୍ଥିତିକୁ ନେଇ ଥିଲା ନା ଆଗାମୀ ଭବିଷ୍ୟତକୁ ଲକ୍ଷ୍ୟ ରଖି ଥିଲା; ତାହା ଅସ୍ପଷ୍ଟ। ତେବେ ମନ୍ତ୍ରୀଙ୍କ ଏଭଳି ସ୍ପଷ୍ଟୋକ୍ତି କିନ୍ତୁ ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ନିରାଶ କରିଛି। ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ତତ୍କାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ସମାନ ଉତ୍ତର ରଖିଥିଲେ। ସେତେବେଳେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ପ୍ରଶ୍ନ କରିଥିଲେ, ପୂର୍ବତଟ ରେଳବାଇର ପରିସର ବୃଦ୍ଧି କରାଯିବ କି? ଝାରସୁଗୁଡ଼ା-ବରସୁଆଁ-କିରିବୁରୁ-ରାଉରକେଲା-ନୂଆଗାଁ-ହେମଗିର ସେକ୍ସନକୁ ପୂର୍ବତଟ ରେଳବାଇରେ ସାମିଲ କରି ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନ କରାଯିବାର ଯୋଜନା ଅଛି କି? ଏହାସହ ଯାଜପୁର ଡିଭିଜନ ପ୍ରତିଷ୍ଠା କରିବାର ପ୍ରସ୍ତାବ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ରଖି ତତ୍କାଳୀନ ରେଳ ମନ୍ତ୍ରୀ କୌଣସି ଯୋଜନା ନ ଥିବା କହିଥିଲେ।

୨୦୨୦ ମସିହାରେର ତତ୍କାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଓ ଏବେକାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉତ୍ତରରେ ବିଶେଷ ଫରକ୍‌ ନାହିଁ। ଉଭୟଙ୍କର ଉତ୍ତର ସମାନ ରହିଥିଲା। ତେବେ ଏଠାରେ ପ୍ରଶ୍ନ ଉଠେ, ରାଉରକେଲା ସମେତ ଯାଜପୁରରେ ନୂଆ ରେଳ ଡିଭିଜନ ସ୍ଥାପନ ନେଇ ପ୍ରକୃତରେ କେନ୍ଦ୍ର ସରକାରଙ୍କ ଯୋଜନା ଅଛି ତ? ପ୍ରତ୍ୟେକ ବର୍ଷ ମନ୍ତ୍ରୀଙ୍କ ଦ୍ବାରା ସମାନ ଉତ୍ତର ମିଳିବା ଇଚ୍ଛାଶକ୍ତିର ଅଭାବକୁ ଦର୍ଶାଉଛି କି? ନୂଆ ଡିଭିଜନ ସପକ୍ଷରେ ମୁଖ୍ୟମନ୍ତ୍ରୀ ବିଗତ ଦିନରେ ଦୁଇ ଦୁଇ ଥର ପତ୍ର ଲେଖିଥିଲେ ସୁଦ୍ଧା, ଏନେଇ ସାମାନ୍ୟ ଅଗ୍ରଗତି ନ ହେବା ପଛରେ ରାଜନୈତିକ ଅଭିସନ୍ଧି ରହିଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି। ରେଳ ଡିଭିଜନ ସପକ୍ଷରେ ଲଢ଼େଇ ଜାରି ରଖିଥିବା ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ, ସଂଗଠନ, ରାଜନୈତିକ ନେତୃବୃନ୍ଦ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଆଗାମୀ ଦିନରେ ଦାବିକୁ ଅଧିକ ବ୍ୟାପକ ଓ ଆନ୍ଦୋଳନକୁ ତ୍ବରାନ୍ବିତ କରିବାକୁ ମତ ପାଇଛି।

The post ପୁଣି ନିରାଶକଲା ରେଳ ମନ୍ତ୍ରୀଙ୍କ ମନ୍ତବ୍ୟ, ରାଉରକେଲାରେ ରେଳ ଡିଭିଜନ ପ୍ରସ୍ତାବ ନଥିବା କହିଲେ first appeared on Sambad.

from ଜିଲ୍ଲା | Sambad https://ift.tt/3EBOHWI