
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସ୍ବଚ୍ଛ ଭରତ ମିଶନ ବାଟବଣା ହୋଇଛି। କେବଳ କାଗଜକଲମରେ ବାହ୍ୟମଳମୁକ୍ତ ଗାଁ ଘୋଷଣା ଚାଲିଥିବା ଏହାକୁ ସୂଚିତ କରୁଛି। ଜିଲ୍ଲାର ଅଧିକାଂଶ ଗାଁରେ ଯେଉଁ ପାଇଖାନା ନିର୍ମାଣ କରାଯାଇଥିଲା, ସେଥିରୁ ବହୁତ କାମରେ ଲାଗୁ ନାହିଁ। ଅନ୍ୟପଟେ ଲୋକେ ଶୌଚପାଇଁ ଖୋଲାସ୍ଥାନ ବ୍ୟବହାର କରୁଥିବାରୁ ଉପରୋକ୍ତ ମିଶନ ଜରିଆରେ ଖର୍ଚ୍ଚ ହୋଇଥିବା ପ୍ରାୟ ୩୩୦ କୋଟି ଟଙ୍କା ପାଣିରେ ପଡ଼ିବା ସାର ହୋଇଛି। କେହି ବାହାରେ ମଳ ତ୍ୟାଗ କରିବେ ନାହିଁ। ସମସ୍ତଙ୍କ ଘରେ ପାଇଖାନା ରହିବ। ସମସ୍ତେ ପାଇଖାନା ବ୍ୟବହାର କରିବେ। ଏଭଳି ଉଦ୍ଦେଶ୍ୟ ନେଇ ପ୍ରଣୀତ ଯୋଜନାର ସୁଫଳ ମିଳୁନି।
କେନ୍ଦୁଝର ଜିଲ୍ଳାରେ ଏହି ମିଶନ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୭୫ ହଜାର ୩୩୨ଟି ପାଇଖାନା ନିର୍ମାଣ କରାଯାଇଥିଲା। ଆନନ୍ଦପୁର ବ୍ଲକରେ ୧୮ ହଜାର ୯୬୪ଟି ପାଇଖାନା ନିର୍ମାଣ ହୋଇଥିବା ବେଳେ ବାଂଶପାଳ ବ୍ଲକ୍ରେ ୧୬ ହଜାର ୫୨୭, ଚମ୍ପୁଆ ବ୍ଲକ୍ରେ ୨୨ ହଜାର ୫୮୭, ଘସିପୁରା ବ୍ଲକ୍ରେ ୨୨ ହଜାର ୩୩, ଘଟଗାଁ ବ୍ଲକରେ ୧୯ ହଜାର ୫୬୯, ହରିଚନ୍ଦନପୁର ବ୍ଲକ୍ରେ ୨୫ ହଜାର ୮୩୪, ହାଟଡିହି ବ୍ଲକ୍ରେ ୩୧ ହଜାର ୪୩୮, ଝୁମ୍ପୁରା ବ୍ଲକ୍ରେ ୨୫ ହଜାର ୪୬୮, ଯୋଡ଼ା ବ୍ଲକ୍ରେ ୯ ହଜାର ୩୦୬, ସଦର ବ୍ଲକ୍ରେ ୨୭ ହଜାର ୭୫୩, ପାଟଣା ବ୍ଲକ୍ରେ ୨୧ ହଜାର ୨୪, ସାହାରପଡ଼ା ବ୍ଲକ୍ରେ ୧୮ ହଜାର ୩୯୬ ଓ ତେଲକୋଇ ବ୍ଲକ୍ରେ ୧୬ ହଜାର ୪୩୩ଟି ପାଇଖାନା ନିର୍ମାଣ ହୋଇଛି। ପ୍ରତି ପାଇଖାନା ପାଇଁ ସରକାର ୧୨ ହାଜର ଟଙ୍କା ପ୍ରଦାନ କରିଥିଲେ। ପାଇଖାନା ହିସାବକୁ ନେଲେ ୩୩୦ କୋଟି ୩୯ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି।
ରିପୋର୍ଟ ଅନୁଯାୟୀ ଯେଉଁ ଗାଁରେ ୮୦ ପ୍ରତିଶତ ଲୋକଙ୍କ ପାଇଖାନା ଅଛି ସେହି ଗ୍ରାମଟି ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ ବୋଲି ଘୋଷଣା କରାଯାଇଛି। ଏହି ହିସାବରେ କେନ୍ଦୁଝର ଜିଲ୍ଲାରେ ୨ ହାଜର ୪୦ଟି ଗ୍ରାମ ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ ବୋଲି ପ୍ରଶାସନ କହୁଛି। ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ପାଇଖାନା ନିର୍ମାଣ କରାଯାଇଥିଲେ ହେଁ ବହୁ ସ୍ଥାନରେ ବହୁ ଲୋକଙ୍କ ପାଇଖାନା ଆଜି ପର୍ଯ୍ୟନ୍ତ ବ୍ୟବହାର ହୋଇନାହିଁ। ନିର୍ମାଣ ହୋଇଥିବା ପାଇଖାନାରେ ପାଣିର ବ୍ୟବସ୍ଥା ନଥିବା ବେଳେ ଅନ୍ୟାନ୍ୟ ସୁବିଧା ନାହିଁ। ଯଦି ପାଇଖାନାରେ ସମସ୍ତ ସୁବିଧା କରାଯାଇଥାଆନ୍ତ ହୁଏତ ଏହି ଯୋଜନା ସଫଳ ହୋଇପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରୁଛନ୍ତି।
୨ ଲକ୍ଷ ୭୫ ହଜାର ୩୩୨ଟି ପାଇଖାନା ନିର୍ମାଣ ପରେ ମଧ୍ୟ ଜିଲ୍ଲାର ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିଛନ୍ତି। ଜିଲ୍ଲାର ୧୩ଟି ବ୍ଲକରୁ ସର୍ଭେ ରିର୍ପୋଟ ଆସିଲା ପରେ ଜଣାପଡ଼ିଥିଲା ଯେ ଆଉ ୨୮ ହଜାର ଯୋଗ୍ୟ ହିତାଧିକାରୀ ଏହି ଯୋଜନା ବାହାରେ ରହିଯାଇଛନ୍ତି । ତେଣୁ ସେମାନଙ୍କ ପାଇଁ ପାଇଖାନା ନିର୍ମାଣ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ମାତ୍ରା ୨୯୦୩ଟି ପାଇଖାନା ନିର୍ମାଣ ହୋଇଛି ବୋଲି ଜିଲ୍ଲା ଜଳ ଓ ପରିମଳ ବିଭାଗ କହୁଛି। ଆନନ୍ଦପୁର ବ୍ଲକରେ ୩୦୦ଟି, ବାଂଶପାଳ ବ୍ଲକରେ ୨୧୪, ଚମ୍ପୁଆ ବ୍ଲକରେ ୨୬୨, ଘସିପୁରା ବ୍ଲକରେ ୩୩, ଘଟଗାଁ ବ୍ଲକରେ ୨୫୦, ହରିଚନ୍ଦନପୁର ବ୍ଲକରେ ୩୧୫, ହାଟଡିହି ବ୍ଲକ୍ରେ ୨୮୭, ଝୁମ୍ପୁରା ବ୍ଲକ୍ରେ ୧୨୧, ଯୋଡା ବ୍ଲକରେ ୩୧୪, ସଦର ବ୍ଲକ୍ରେ ୩୫୨, ପାଟଣା ବ୍ଲକରେ ୨୬୦, ସାହାରପଡା ବ୍ଲକ୍ରେ ୧୫୫ ଓ ତେଲକୋଇ ବ୍ଲକ୍ରେ ୪୦ଟି ପାଇଖାନା ନିର୍ମାଣ ହୋଇପାରିଛି।
The post କାଗଜକଲମରେ ସ୍ବଚ୍ଛ ଭାରତ ମିଶନ: ଏବେ ବି ଖୋଲା ସ୍ଥାନରେ ଶୌଚ first appeared on Sambad.from ଜିଲ୍ଲା | Sambad https://ift.tt/3luGIU4
0 Comments